ତାଳପଟିଆ ଗ୍ରାମ ପରିଦର୍ଶନ କଲେ ସାଂସଦ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ା ଜିଲ୍ଲା ତାଳପଟିଆ ଗ୍ରାମ ପରିଦର୍ଶନ କରିଛନ୍ତି । ଇବ ନଦୀର ପ୍ରବାହ ଯୋଗୁ ଗ୍ରାମରେ ହେଉଥିବା କ୍ଷୟକ୍ଷତି, କୃଷି ପାଇଁ ଜଳସେଚନର ବ୍ୟବସ୍ଥା , ନଦୀର କଡ଼ଖାଇ ମରାମତି ଓ ଗାଧୁଆ ପୀଠ ନିର୍ମାଣ ଆଦି ବିଷୟରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଇବ ନଦୀର ଅନ୍ୟ ମୁଣ୍ଡରେ ଥିବା ସୁନ୍ଦରଗଡ଼ ଜିଲ୍ଲା ଅଧୀନସ୍ଥ କଡ଼ଖାଇରେ କଂକ୍ରିଟ କାର୍ଯ୍ୟ ସହ ସ୍ଳୋପିଙ୍ଗ ବ୍ୟବସ୍ଥା ହୋଇଥିବାର ଗ୍ରାମବାସୀ ସାଂସଦଙ୍କୁ ଜଣାଇଥିଲେ। କିନ୍ତୁ ଝାରସୁଗୁଡ଼ା ଜିଲ୍ଲା ଅଧୀନସ୍ଥ ତାଳପଟିଆ ପଟରେ ସେପରି ବ୍ୟବସ୍ଥା ନ ଥିବାରୁ ଚାଷ ଜମିରେ କ୍ଷୟକ୍ଷତି ହେବା ସହ ଗାଧୁଆ ପୀଠର ସମସ୍ୟା ଓ ଜଳସେଚନର ଅସୁବିଧା ସମ୍ବନ୍ଧରେ ଗ୍ରାମ ତଥା ଅଞ୍ଚଳବାସୀ ସାଂସଦଙ୍କୁ ଦରଖାସ୍ତ ମାଧ୍ୟମରେ ଅବଗତ କରିଥିଲେ। ସାଂସଦ ଶ୍ରୀ ପୂଜାରୀ ଏହାର ସମୀକ୍ଷା କରିବା ସହ ଅଣାୟତ୍ତ ଜଳପ୍ରବାହ ଯୋଗୁ ହେଉଥିବା କ୍ଷୟକ୍ଷତିକୁ ରୋକିବା ପାଇଁ କଡ଼ରେ ପଥର ବନ୍ଧା ସହ ଗାଧୁଆ ପୀଠ ଓ ଏହି ସ୍ଥାନରେ ପର୍ଯ୍ୟଟନକୁ ବିକଶିତ କରିବା ପାଇଁ ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ଦିନେଶ ଜୈନ, ଆନନ୍ଦ ପ୍ରଧାନ, ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ଦିନେଶ ଉପାଧ୍ୟୟ, ଦିଲ୍ଲୀପ ସାକୁନିଆଁ, ଲଲିତ ମଗର, ଗୋପାଳ ପଟେଲ, ପର୍ଶୁରାମ ପଣ୍ଡା, ଡିଲେଶ୍ୱର ରାଓ, ଡୋଲାମଣି ମହାନନ୍ଦ, ଗୋକୁଲା ମହାନନ୍ଦ ପ୍ରମୁଖଙ୍କ ସହ ଗ୍ରାମବାସୀ ଓ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।