ପ୍ରେସ ଲେଖା ଥିବା ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ

ବରଗଡ଼,ଏନ୍ଏନ୍ଏସ୍: ପ୍ରେସ ଲେଖା ଥିବା ଗାଡିରୁ ବରଗଡ଼ ଜିଲ୍ଲା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ୪ ଜଣ ସୋହେଲା ଏବଂ ଜଣେ ଗାଇସିଲେଟ ପୁଲିସ ଦ୍ୱାରା ଗିରଫ ହୋଇଥିବା ଏସପି ରାହୁଲ ଜୈନ ବରଗଡ଼ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୋହେଲା ପୁଲିସ ଗିରଫ ୪ ଜଣଙ୍କ ଠାରୁ ୨୩୩ କିଲୋ ଗଞ୍ଜେଇ ସହ ସେମାନେ ବ୍ୟବହାର କରୁଥିବା ଦୁଇଟି ଦାମୀ କାର, ୬ଟି ମୋବାଇଲ ଏବଂ ନଗଦ ୧୩ ହଜାର ୧୨୦ ଟଙ୍କା ଜବତ କରିଛି। ବରଗଡ଼ ଜିଲ୍ଲା ଦେଇ ସୋନପୁର ଅଞ୍ଚଳରୁ ଛତିଶଗଡ଼ ରାଜ୍ୟକୁ ଚାଲାଣ ହେଉଥିବାବେଳେ ସୋହେଲା ପୁଲିସ ଦ୍ୱାରା ଏହି ଗଞ୍ଜେଇ ଜବତ ହୋଇଛି। ଗିରଫ ୪ ଜଣ ଛତିଶଗଡ଼ ରାଜ୍ୟ ଦରବାର ହେମରାଜ ନିଶାଦ, ଚାମ୍ପାର ସଞ୍ଜୟ ତ୍ରିପାଠୀ ଓ ଅଜୟ ତ୍ରିପାଠୀ ଏବଂ ଅତବାଦର ଗୌରବ ଖରପଡ଼େ ବୋଲି ଜଣାପଡିଛି।

ଗତକାଲି ସୋହେଲା ପୁଲିସ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଚେକିଂ କରୁଥିଲା। ଏହି ସମୟରେ ସିଜି-୦୪ ଏନଏଚ-୯୯୯୮ ନମ୍ବର ବିଶିଷ୍ଟ ଇନୋଭା ଏବଂ ସିଜି-୦୪ଏଲଡି-୫୬୬୫ ନମ୍ବର ବିଶିଷ୍ଟ ସ୍ୱିଫ୍ଟ ଡିଜାୟାରରେ ୨୩୩ କେଜି ଗଞ୍ଜେଇ ଜବତ ହୋଇଥିଲା। ଜବତ ଗୋଟିଏ ଗାଡ଼ିରେ ପ୍ରେସ ଲେଖା ଥିବା ଦେଖିବାକୁ ମିଳିଥିଲା। ଏନେଇ ସୋହେଲା ପୁଲିସ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ ଆଗକୁ ବେଆଇନ ଗଞ୍ଜେଇ ଚାଲାଣ ବିରୋଧରେ ଚଢ଼ଉକୁ ଜୋରଦାର କରାଯିବ ବୋଲି କହିଛନ୍ତି ବରଗଡ଼ର ନୂତନ ଏସପି ରାହୁଲ ଜୈନ।

ବହୁ ଗାଡ଼ିରେ ପ୍ରେସ ଲେଖାଯାଇ ବେଆଇନ କାର୍ଯ୍ୟ କରାଯାଉଥିବାରୁ ପୁଲିସ ପକ୍ଷରୁ ଗାଡି ଚେକିଂ ବେଳେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ଜୈନ। ସେହିପରି ଗାଇସିଲେଟ ପୁଲିସ ଗଞ୍ଜେଇ ଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶ ଦୁଲହରା ଗାଁର ଅଶୋକ କୁମାର ସାହୁଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଶୋକ ନିକଟରୁ ପୁଲିସ ୨୧ କେଜି ଗଞ୍ଜେଇ ସହ ଏକ ମୋଟର ସାଇକେଲ ଜବତ କରିଛି।