ଜୁଲାଇ ୨୬ରୁ ଖୋଲିବ ସ୍କୁଲ ଓ କଲେଜ: ଆରମ୍ଭ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠ ପଢ଼ା

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ କୋଭିଡ ସମୟରେ ସମସ୍ତ ବିଦ୍ୟାଳୟ ଓ କଲେଜକୁ ବନ୍ଦ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପିଲାଙ୍କ ଭବିଷ୍ୟତକୁ ଲକ୍ଷ କରି ବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଅନଲାଇନ ପାଠପଢ଼ାର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଓଡ଼ିଶାର ସମସ୍ତ ଅଞ୍ଚଳରେ ସମସ୍ତ ପିଲାଙ୍କ ପାଖରେ ଅନଲାଇନ ଶିକ୍ଷା ଦାନ ପହଞ୍ଚି ପାରି ନଥିଲା। ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସୁଛି। ଏହାକୁ ଲକ୍ଷ କରି ରାଜ୍ୟ ସରକାର ବିଦ୍ୟାଳୟ ଓ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗଣଶିକ୍ଷା ସଚିବ ସୁବ୍ରତ ସାହୁ ସୂଚନା ପ୍ରଦାନ କରିଛନ୍ତି।

ଓଡ଼ିଶାର ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବିଭିନ୍ନ ସର୍ବଭାରତୀୟ ପରୀକ୍ଷା ଯଥା ଜେଇଇ, ନିଟ୍ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି। ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ମଧ୍ୟ ସେମାନଙ୍କୁ ପ୍ରସ୍ତୁତ ହେବାକୁ ପଡ଼େ। ଅନଲାଇନ ପାଠପଢ଼ା ପାଖାପାଖି ୬୦ ପ୍ରତିଶତ ପିଲାଙ୍କ ପାଖରେ ପହଞ୍ଚିପାରୁନି। ତେଣୁ ଛାତ୍ରଛାତ୍ରୀଙ୍କ ସିଲାବସ୍ ସାରିବା ଓ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ପାଇଁ ବିଦ୍ୟାଳୟ ତଥା କ୍ଲାସ ରୁମ ପାଠପଢ଼ା ଅପରିହାର୍ଯ୍ୟ ହୋଇପଡ଼ିଛି। ଏହାକୁ ଆଖିଆଗରେ ରଖି ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଆସନ୍ତା ଜୁଲାଇ ୨୬ ସୋମବାର ଠାରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ହେବ। ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଏସଓପି ଜାରି କରାଯାଇଛି।

ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଆଧାରରେ ଟିକା ପ୍ରଦାନ କରିବା। ବିଦ୍ୟାଳୟରେ ଦୈନିକ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯିବ। ବିଦ୍ୟାଳୟକୁ ପରିସ୍କାର ରଖିବା ସହିତ ସମସ୍ତେ ଯେପରି ମାସ୍କ ଓ ହାତ ସାନିଟାଇଜ କରିବେ ସେଥିପ୍ରତି ଧ୍ୟାନ ଦିଆଯିବ। ଏଥିସହିତ କୋଭିଡ ଗାଇଡଲାଇନ ପାଳନ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ସେଣ୍ଟର ହେବ ସେହି ସ୍କୁଲ ଗୁଡ଼ିକ ପରୀକ୍ଷା ପରେ ଖୋଲାଯିବ। ଏଥିସହିତ ପୂର୍ବପରି ସମସ୍ତ ଶ୍ରେଣୀର ଅନଲାଇନ ଶିକ୍ଷାଦାନ ଜାରି ରହିବ। ସେହିପରି ଛାତ୍ରଛାତ୍ରୀମାନେ ସ୍କୁଲ ଆସିବା ପୂର୍ବରୁ ଅଭିଭାବକଙ୍କ ଅନୁମତି ଆଣିବାକୁ କୁହାଯାଇଛି।

ଅନ୍ୟପଟେ ଯଦି କୌଣସି ଅଞ୍ଚଳରେ କୋଭିଡ ସଂକ୍ରମଣ ବୃଦ୍ଧି ପାଏ ତେବେ ଉକ୍ତ ଅଞ୍ଚଳରେ କିପରି ସ୍କୁଲ ଖୋଲିବ ତାହା ଜିଲ୍ଲାପାଳ ସ୍ଥିର କରିବେ। ବିଦ୍ୟାଳୟ ଗୁଡ଼ିକ ସକାଳ ୧୦ ଟାରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ଚାଲୁ ରହିବ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିବସରେ ବିଦ୍ୟାଳୟ ବନ୍ଦ ରହିବ।

ଯଦି କୋଭିଡ ସ୍ଥିତିରେ ଆହୁରି ସୁଧାର ଆସେ ତେବେ ଅଗଷ୍ଟ ୧୬ ତାରିଖରୁ ପ୍ରାଥମିକତା ଦୃଷ୍ଟିରୁ ନବମ ଶ୍ରେଣୀ ପିଲାଙ୍କର ମଧ୍ୟ କ୍ଲାସ ଆରମ୍ଭ କରାଯିବ ଓ ଏକାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ପାଠପଢ଼ା ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ କରିବାର ଯୋଜନା ହୋଇଛି।