କୋରୁକୋଣ୍ଡା,ଏନ୍ଏନ୍ଏସ୍: ସାଂସଦ ରମେଶ ମାଝୀ ଓ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ବାଲିମେଳା ଗସ୍ତରେ ଆସି ୧୨ନଂ ୱାର୍ଡସ୍ଥିତ ରାଣାବାଇ କ୍ୟାମ୍ପକୁ ଯାଇଥିଲେ। ସେହି ସମୟରେ ଦୁହେଁ ଏକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଜାଣିବାକୁ ପାଇଥିଲେ କି ବ୍ୟକ୍ତି ଜଣଙ୍କର ଚଳପ୍ରଚଳ ନିମନ୍ତେ ୩ ଚକିଆ ସାଇକେଲଟିଏ ନାହିଁ। ତେଣୁ ଉଭୟ ସାଂସଦ ଓ ବିଧାୟକ ତୁରନ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାଇକେଲଟିଏ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ବାଲିମେଳା ବିଜେଡି ନଗର ସଭାପତି ମଙ୍ଗଳା ପାଙ୍ଗି, ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ଏବଂ ବରିଷ୍ଠ କର୍ମୀ ପୂର୍ଣ୍ଣ ଭତ୍ରା ଉପସ୍ଥିତ ରହି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୩ ଚକିଆ ସାଇକେଲଟିଏ ପ୍ରଦାନ କରିଛନ୍ତି। ବ୍ୟକ୍ତି ଜଣକ ଏହି ସାଇକେଲ ପାଇବା ପରେ ସାଂସଦ ଶ୍ରୀ ମାଝୀ, ବିଧାୟକ ଶ୍ରୀ ବାକାଙ୍କ ସମେତ ବାଲିମେଳା ବିଜେଡିକୁ ଧନ୍ୟବାଦ ଜଣାଇଛନ୍ତି।