ଜିନ୍ଦଲ୍ ଓ ଏସ୍‌ସିଇଟିଇଭିଟି ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନ (ଏସ୍‌ସିଇଟିଇଭିଟି)ସହିତ ଜିନ୍ଦଲ ଷ୍ଟେନଲେସ୍ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ବୁଝାମଣାପତ୍ର ଅନୁସାରେ, ରାଜ୍ୟର ସମସ୍ତ ପଲିଟେକ୍‌ନିକ ଗୁଡ଼ିକରେ ଆସନ୍ତା ଜୁନ ୨୦୨୨ ଠାରୁ ଷ୍ଟେନ୍‌ଲେସ୍ ଷ୍ଟିଲ୍ ଉପରେ ପାଠ୍ୟକ୍ରମ ଆରମ୍ଭ କରାଯିବ।

ଏସ୍‌ସିଇଟିଇଭିଟି ପକ୍ଷରୁ ଉପାଧ୍ୟକ୍ଷ, ରଘୁ ଜି ଏବଂ ଜିନ୍ଦଲ୍ ଷ୍ଟେନଲେସ୍ ପକ୍ଷରୁ ଦୀପକ ଅଗ୍ରୱାଲ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଉପସ୍ଥିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ, ଏସ୍‌ସିଇଟିଇଭିଟିର ଅଧ୍ୟକ୍ଷ ତଥା ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ, ହେମନ୍ତ ଶର୍ମା (ଆଇଏଏସ୍‌), କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷାର ଅତିରିକ୍ତ ସଚିବ ତପନ ଶତପଥୀ (ଓଏଏସ୍‌), ଜିନ୍ଦଲ ଷ୍ଟେନଲେସର ଆବାସିକ ନିର୍ଦ୍ଦେଶକ ଏସ୍‌.ଏସ୍ ଉପାଧ୍ୟାୟ ଏବଂ ମହା ପ୍ରବନ୍ଧକ (ବିକ୍ରି ଏବଂ ବଂଟନ) ରନିତ ରାଣା ପ୍ରମୁଖ ଉପସ୍ଥିତ ଥିଲେ।

ଇସ୍ପାତ ଶିଳ୍ପ ଉପରେ ଏକ ଅତିରିକ୍ତ ମେଟାଲର୍ଜି ପାଠ୍ୟକ୍ରମ, ମେକାନିକାଲ ଇଂଜିନିଅରିଂ ଛାତ୍ରଙ୍କ ନିମନ୍ତେ ୫ମ ସେମିଷ୍ଟରରେ ବାଧ୍ୟତାମୂଳ ପାଠ୍ୟକ୍ରମ ଭାବେ ଜୁନ ୨୦୨୨ରୁ ସମସ୍ତ ରାଜ୍ୟର ସମସ୍ତ ସରକାରୀ ପଲିଟେକନିକ୍ ଗୁଡ଼ିକରେ ଆରମ୍ଭ ହେବ। ଷଷ୍ଠ ସେମିଷ୍ଟରରୁ ଯାଜପୁର, କେନ୍ଦ୍ରାପଡ଼ା ଓ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ (ବୋସ୍‌)ରେ ଆରମ୍ଭ କରାଯିବ। ଛାତ୍ରମାନେ ତାଙ୍କର ୫ମ ସେମିଷ୍ଟର ଶେଷରେ ଏକ ପରୀକ୍ଷା ଉପରାନ୍ତେ ଏହି ଚୟନମୂଳକ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ମନୋନୀତ ଛାତ୍ରମାନେ ଯାଜପୁରର ଜିନ୍ଦଲ ଷ୍ଟେନଲେସରେ ୨୦ ଘଣ୍ଟାର ଶିଳ୍ପ ତାଲିମ ଗ୍ରହଣ କରିବେ, ଯେଉଁଠାରେ ସେମାନେ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରିବେ।