ଦାରିଦ୍ର୍ୟ ନେଲା ଜୀବନ, ୪ ବର୍ଷର ପୁଅ ସହ ଜୀବନ ହାରିଲା ମାଆ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅକୁ ଓ ମା’ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆତ୍ମହତ୍ୟା କରିଥିବା ମା’ ଓ ପୁଅ ହେଲେ ପି. ଦିବ୍ୟା(୨୯) ଓ ପି. ସାଇ(୪)। ଆର୍ଥିକ ଅନଟନରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଘଟଣାରୁ ପ୍ରକାଶ ଯେ, ଦିବ୍ୟାଙ୍କ ସ୍ୱାମୀ ପି. ଶ୍ରୀନୁଙ୍କ ଗତ ୫ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଦିବ୍ୟା ଆର୍ଥିକ ଅନଟନ ଦେଇ ଗତି କରୁଥିଲେ। ନିଜର ଏକମାତ୍ର ପୁଅ ଓ ଶାଶୁଙ୍କ ସହ ସେ ଜେକେ କାଗଜକଳ ଏସପିଟି କଲୋନୀରେ ରହି ଆସୁଥିଲେ। ୫ ମାସ ତଳେ ସ୍ୱାମୀ ଓ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠୁ ପୁରା ପରିବାର ଭାଙ୍ଗିପଡିବା ସହ ଆର୍ଥିକ ଅନାଟନ ଦେଇ ଗତି କରୁଥିଲେ। ଅର୍ଥ ଅଭାବ ଯୋଗୁଁ ପରିବାର ଚଳିବା କଷ୍ଟକର ହୋଇପଡ଼ୁଥିଲା।

ଶେଷରେ ୪ ବର୍ଷ ପୁଅ ସହ ଜୀବନ ହାରିବାର ନିଷ୍ପତ୍ତି ନେଇଛନ୍ତି ମା’। ଶାଶୁ ମାର୍କେଟ୍ ଯାଇଥିବା ବେଳେ ପୁଅ ପି. ସାଇ ଓ ମା’ ପି. ଦିବ୍ୟା ନିଜେ ଘର ଛାତ ପାଇପରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ଦିବ୍ୟାଙ୍କ ଶାଶୁ ମାର୍କେଟରୁ ଫେରିବା ପରେ ବୋହୂ ଦିବ୍ୟା ଓ ନାତି ସାଇ ବେକରେ ଶାଢ଼ୀ ଲଗାଇ ଝୁଲୁଥିବା ଦେଖି ଚିତ୍କାର କରିଥିଲେ। ପଡୋଶୀ ଲୋକ ଦୌଡ଼ି ଆସି ବଞ୍ଚିଥିବା ଆଶାରେ ପ୍ରଥମେ ୪ ବର୍ଷର ଶିଶୁ ସାଇକୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ସାଇର ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।