୨୭ ପରେ ବଦଳିବ ପାଗ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଗତ ଗୁରୁବାରଠୁ ପାରଦ ତଳମୁହାଁ ହୋଇଛି। ବିଦର୍ଭ ଏବଂ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ସାମାନ୍ୟ କିଛି ଉଚ୍ଚତାରେ ରହିବା କାରଣରୁ ରାଜ୍ୟ ପାଣିପାଗରେ ବଡ଼ ପରିବର୍ତ୍ତନ ନଜରକୁ ଆସିଛି। ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ସମୟରେ ପାଗ କୋହଲା ରହିଥିବା ଦେଖିବାକୁ ମିଳିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ରବିବାର ରାଜ୍ୟର ଗଜପତି, ଗଞ୍ଜାମ ରାୟଗଡ଼ା, ପୁରୀ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର ଅବଶିଷ୍ଟ ଜିଲ୍ଲାମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଏବଂ ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାଧାରଣରୁ ମଧ୍ୟମ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି।

ସେହିପରି ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ରେକର୍ଡ କରାଯାଇଥିବାବେଳେ କିଛି ସ୍ଥାନରେ ବର୍ଷା ହୋଇଥିବା ସତ୍ତ୍ୱେ ତାହା ରେକର୍ଡ ହୋଇପାରିନାହିଁ। ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଫୁଲବାଣୀଠାରେ ୬.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୧.୪ ମିମି ବର୍ଷା ରେକର୍ଡ ହୋଇଛି। ଏହାବ୍ୟତୀତ ଭୁବନେଶ୍ୱର, ବଲାଙ୍ଗିର, ମାଲକାନଗିରି ଓ ସୋନପୁରରେ ବର୍ଷା ସତ୍ତ୍ୱେ କେତେ ମିମିର ହୋଇଛି ତାହା ରେକର୍ଡ ହୋଇପାରି ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟରୁ ପ୍ରକାଶ ପାଇଛି। ଆସନ୍ତା ୨ରୁ ୩ ଦିନ ଧରି ରାତି ତାପମାତ୍ରା ସାମାନ୍ୟ ତଳକୁ ଖସିବ। ଫଳରେ ରାତିରେ ସାମାନ୍ୟ ଥଣ୍ଡା ଲାଗିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷେ ରାଜ୍ୟ ପାଣିପାଗରେ ଏବେ ବୃହତ ପରିବର୍ତ୍ତନ ଦେଖାଦେବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟର କିଛି ସ୍ଥାନରେ ପାଗ କୋହଲା ରହିବା ସହ ବର୍ଷାର ସମ୍ଭାବନା ରହିଛି। ହେଲେ ରବିବାର ଠୁ ତାହା ହ୍ରାସ ପାଇବ ଏବଂ ସୋମବାର ଠାରୁ ପାଗ ପୁଣିଥରେ ଶୁଖିଲା ଓ ଖରାଟିଆ ରହିବ। ଉଭୟ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ସାରା ରାଜ୍ୟରେ ୨୬ ତାରିଖ ପର୍ଯ୍ୟନ୍ତ ଲଗାତାର ବଢ଼ିବ। ଦିନର ତାପମାତ୍ରା ଅପେକ୍ଷାକୃତ ଅଧିକ ବଢ଼ିବ। ଭୁବନେଶ୍ୱର, ମାଲକାନଗିରି, ଟିଟିଲାଗଡ଼, ତାଳଚେର ଆଦି ସ୍ଥାନରେ ୨୫ରୁ ୨୬ ତାରିଖ ସୁଦ୍ଧା ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ତଥା ତା’ଠୁ ଅଧିକ ରହିବାର ସମ୍ଭାବନା ରହିଥିବା ବିଶେଷଜ୍ଞ ଶ୍ରୀ ପଶୁପାଳକ କହିଛନ୍ତି।