କୂଅରୁ ସନ୍ଦେହଜନକ ଭାବେ ମାଆ-ଝିଅଙ୍କ ମୃତ ଦେହ ଉଦ୍ଧାର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଚେଡ଼େଙ୍ଗା ପଞ୍ଚାୟତର କଉଡିଗୁଡାରେ ଅଭାବନୀୟ ଘଟଣା ଘଟିଛି। ମାଆ ଓ ୪ ବର୍ଷର ଶିଶୁ କନ୍ୟାଙ୍କ ମୃତଦେହ କୂଅରୁ ଉଦ୍ଧାର ହୋଇଛି। ମୃତକ ହେଲେ ଗ୍ରାମର ହରି ଖରାଙ୍କ ପତ୍ନୀ ମତି ଖରା(୩୫) ଓ ୪ ବର୍ଷ ବୟସ୍କା ଶିଶୁ କନ୍ୟା ରଜନ୍ତି ଖରା। ପରିବାରର ସମସ୍ତେ ଗତକାଲି ରାତ୍ରିରେ ଶୋଇଥିବା ବେଳେ ମାଆ-ଝିଅ ମଧ୍ୟରାତ୍ରିରେ ଉଠି କୁଆଡ଼େ ଚାଲିଯାଇଥିଲେ।

ଆଜି ସକାଳେ ପରିବାର ଲୋକେ କୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ କୂଅରେ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ଏ ସମ୍ପର୍କରେ ଦମକଳ ବାହିନୀ ଓ ପୁଲିସକୁ ଖବର ଦିଆଯାଇଥିଲା। ଖବରପାଇ ମାଥିଲି ଦମକଳ ବିଭାଗର ଏକ ଉଦ୍ଧାରକାରୀ ଟିମ୍ ପହଞ୍ଚି କୂଅରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ କେଉଁ କାରଣରୁ ମାଆ-ଝିଅଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ। ଏଥିନେଇ ମାଥିଲି ଥାନା ପୁଲିସ ତଦନ୍ତ ଜାରି ରଖିଛି। ମାଥିଲି ସବଡିଭିଜନ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।