ସାମନ୍ତରାପାଲି ଗ୍ରାମରେ ମଶାରି ବଣ୍ଟନ

ଦେବଗଡ଼,ଏନ୍ଏନ୍ଏସ୍: ତିଲେଇବଣି ବ୍ଲକରେ ଆଜି କୀଟନାଶକ ଉପଚାରିତ ମଶାରି ବଣ୍ଟନର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ତିଲେଇବଣି ବ୍ଲକ ଅନ୍ତର୍ଗତ କଲଣ୍ଡା ପଞ୍ଚାୟତର ସାମନ୍ତରାପାଲି ଗ୍ରାମରେ ସମିତି ଅଧ୍ୟକ୍ଷା ଶୁଭାସିନୀ ଦେହୁରୀ ମଶାରୀ ବଣ୍ଟନ କରିଥିଲେ । ଉଦଘାଟନୀ ଉତ୍ସବରେ ସାଂସଦ ପ୍ରତିନିଧି ଯୋଗେଶ ପ୍ରଧାନ, କଲଣ୍ଡା ସରପଞ୍ଚ ଶକୁନ୍ତଳା ପ୍ରଧାନ, ବିଡିଓ କୃଷ୍ଣଚନ୍ଦ୍ର ଦଳପତି, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ସୁଭାସ ଚନ୍ଦ୍ର ମଣ୍ଡଳ, ତିଲେଇବଣି ସିଏଚସିର ଚିକିତ୍ସା ଅଧିକାରୀ ଡା. ଅର୍ପିତା ଶାନ୍ତି ଲାକ୍ରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ବିଭୂତି ଚରଣ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

ତିଲେଇବଣି ମ୍ୟାଲେରିଆ ଟେକନିକାଲ ସୁପରଭାଇଜର ହିମାଂଶୁ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବରଘାଟର ଗଣେଶ ଓ ତାଙ୍କ ସାଥୀମାନେ ପାଲା ପରିବେଷଣ କରି ମ୍ୟାଲେରିଆ ଏବଂ ଏହାର ନିରାକରଣର ଉପରେ ସଚେତନତା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଗାଁ କଲ୍ୟାଣ ସମିତି ସଦସ୍ୟମାନେ ସହଯୋଗ କରିଥିଲେ ।
ସୂଚନାଯୋଗ୍ୟ ଯେ, ତିଲେଇବଣି ବ୍ଲକରେ ସମୁଦାୟ ୪୯ ହଜାର ମଶାରୀ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରୁ ସିଙ୍ଗିଲ ସାଇଜ ୪୮୦୦, ଡବଲ ସାଇଜ ୩୫୧୫୦ ଏବଂ ଫ୍ୟାମିଲି ସାଇଜ୯୦୫୦ ବଣ୍ଟନ କରାଯିବ । ଆଜି ସାମନ୍ତରାପାଲି ଗ୍ରାମରେ ୪୬୨ଟି ମଶାରି ବଣ୍ଟନ କରାଯାଇଥିବା ଜଣାଯାଇଛି ।