ମୋର୍ଗାନ୍ ଇଂଲଣ୍ଡ ଟି-୨୦ ଅଧିନାୟକ

ଲଣ୍ଡନ,ଏଜେନ୍ସି: ଇଅନ୍ ମୋର୍ଗାନ୍‌ଙ୍କୁ ଆସନ୍ତା ମାସରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବାକୁ ଥିବା ୧୬ ଜଣିଆ ଇଂଲଣ୍ଡ ଟିମ୍‌ର ଅସ୍ଥାୟୀ ଅଧିନାୟକ ନିଯୁକ୍ତ କରାଯାଇଛି। ଏହି ଗସ୍ତରେ ଇଂଲଣ୍ଡର ଅନ୍ତରୀଣ କୋଚ୍ ପଲ୍ କଲିଙ୍ଗ୍‌ଉଡ୍ ଟିମ୍ ସହ ଯୋଗଦେବେ। ମାର୍କସ୍ ଟ୍ରେକ୍ସୋଥିକ୍ କଲିଙ୍ଗ୍‌ଉଡ୍‌ଙ୍କ ସହାୟକ ଭାବେ ଗସ୍ତରେ ଯିବେ। ଚଳିତ ଆଶେସ୍ ସିରିଜ୍‌ରେ ଖେଳୁଥିବା ଇଂଲଣ୍ଡର କୌଣସି ଖେଳାଳିଙ୍କୁ ଟି-୨୦ ଟିମ୍‌ରେ ସାମିଲ କରାଯାଇ ନାହିଁ। ତେବେ ଗତମାସରେ ୟୁଏଇରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ରେ ଖେଳିଥିବା ଇଂଲଣ୍ଡ ଟିମ୍‌ର ୧୧ଜଣଙ୍କୁ ଏଥିରେ ସ୍ଥାନ ମିଳିଛି।

ଅନ୍ୟପକ୍ଷରେ ବାମହାତୀ ସିମର୍ ଡେଭିଡ୍ ପାଏନ୍ ଓ ଅଲ୍‌ରାଉଣ୍ଡର୍ ଜର୍ଜ ଗାର୍ଟନ୍ ନୂଆମୁହଁ ଭାବେ ଟିମ୍‌ରେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ପ୍ରସ୍ତୁତି ସ୍ୱରୂପ କେତେକ ସିରିୟସ୍ ବ୍ୟାଟ୍ସମ୍ୟାନ୍ ଓ ସନ୍ତୁଳିତ ବୋଲିଂ ଆକ୍ରମଣକୁ ନେଇ ଏକ ଶକ୍ତିଶାଳୀ ଟିମ୍ ଗଠନ କରିଛୁ ବୋଲି କଲିଙ୍ଗ୍‌ଉଡ୍ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ଆଶେସ୍ ସିରିଜ୍ ପରେ ଇଂଲଣ୍ଡର ନିୟମିତ ମୁଖ୍ୟ କୋଚ୍ କ୍ରିସ୍ ସିଲ୍‌ଭରଉଡ୍ ବ୍ରେକ୍ ନେବାକୁ ଥିବାରୁ ଇସିବି ପୂର୍ବତନ ଅଧିନାୟକ କଲିଙ୍ଗ୍‌ଉଡ୍‌ଙ୍କୁ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟି-୨୦ ଟିମ୍‌ର ଅନ୍ତରୀଣ କୋଚ୍ ଓ ମାର୍କସ୍ ଟ୍ରେକ୍ସୋଥିକ୍‌ଙ୍କୁ ଆସିଷ୍ଟାଣ୍ଟ୍ କୋଚ୍ ନିଯୁକ୍ତ କରିଛି।

ଇଂଲଣ୍ଡ ସ୍କ୍ୱାଡ୍‌: ଇଅନ୍ ମୋର୍ଗାନ୍ (ଅଧିନାୟକ), ମୋଇନ୍ ଅଲୀ, ଟମ୍ ବାଣ୍ଟୋନ୍‌, ସାମ୍ ବିଲିଙ୍ଗ୍‌ସ, ଲିଆମ୍ ଡାଓସନ୍‌, ଜର୍ଜର୍ ଗାର୍ଟନ୍‌, କ୍ରିସ୍ ଜୋର୍ଡାନ୍‌, ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌, ସାକିବ୍ ମହମୁଦ୍‌, ଟାଇମଲ୍ ମିଲ୍ସ, ଡେଭିଡ୍ ପାଏନ୍‌, ଆଦିଲ୍ ରଶିଦ୍‌, ଜେସନ୍ ରୟ, ଫିଲ୍ ସଲ୍ଟ, ରିସି ଟପ୍ଲେ, ଜେମ୍ସ ଭିନ୍।