ତୁରୁମୁଙ୍ଗା ବଜାରରୁ ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୃତ୍ତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିକଟରୁ ଶୁକ୍ରବାର ଅପରାହ୍ଣରେ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ, ବାରିଆ ଥାନା କାଉଁରିକଳା ଗ୍ରାମର ଲକ୍ଷ୍ମୀଧର ବାରିକ ଆଜି ଅପରାହ୍ଣରେ ତୁରୁମୁଙ୍ଗା କୋପରେଟିଭ ବ୍ୟାଙ୍କରୁ ୨୦ ହଜାର ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ୧୦ ହଜାର ଟଙ୍କା ଉଠାଇ ଥିଲେ। ୧୦ ହଜାର ଟଙ୍କାକୁ ବ୍ୟାଗରେ ରଖି ପେନ କିଣିବାକୁ ଦୋକାନକୁ ଯାଇଥିବାବେଳେ ସାଇକେଲରେ ଥିବା ବ୍ୟାଗକୁ ଦୁର୍ବୃତ୍ତମାନେ ନେଇ ଫେରାର ହୋଇଯାଇଥିଲେ। ଏନେଇ ଲକ୍ଷ୍ମୀଧର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଛାନ୍ ଭିନ୍ ଜାରି ରଖିଛି। ତେବେ ୪୯ ନମ୍ବର ରାଜପଥ କଡ଼ରେ ଥିବା ତୁରୁମୁଙ୍ଗା ବଜାର ଉପରୁ ବାରମ୍ବାର ଲୁଟ୍ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ତୁରୁମୁଙ୍ଗା ବଜାର ଉପରେ ୨୪ ଘଣ୍ଟିଆ ପୁଲିସ ପାଟ୍ରୋଲିଂ ପାଇଁ ଜନସାଧାରଣ ଦାବି କରିଛନ୍ତି।