ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ଦିନ୧୨ଟାରୁ ଅପରାହ୍ଣ ୩ଟା ଯାଏଁ ଚାଷୀମାନେ ଚକା ଜାମ ଆନ୍ଦୋଳନ କରିବେ ବୋଲି ଝାରସୁଗୁଡା ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଅଖିଳ ଭାରତୀୟ ସଂଯୁକ୍ତ କିସାନ ସଙ୍ଘ ପକ୍ଷରୁ ଦିଆଯାଇଥିବା ଭାରତବନ୍ଦ ଡାକରାକୁ ସଫଳ କରିବା ପାଇଁ ଝାରସୁଗୁଡା ଜିଲ୍ଲାର ଚାଷୀମାନେ କୋଲାବିରା, ଲଖନପୁର, କନକତୋରା, ପ୍ରଶନ୍ନ, ପଣ୍ଡାଛକ ପରି ବିଭିନ୍ନ ସ୍ଥାନରେ ଅଖଚକ ଜାମ କରିବେ ବୋଲି କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏନେଇ ଆଜି କୃଷକ ସଂଗଠନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ କରାଯାଇ ଆସନ୍ତାକାଲିର ଆନ୍ଦୋଳନ ତଥା କୃଷକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।
କେନ୍ଦ୍ର ସରକାର ଲାଗୁ କରିଥିବା ୩ଟି କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର, ଜିଲ୍ଲାର ସମସ୍ତ ଚାଷୀଙ୍କୁ ଆବଶ୍ୟକ ପରିମାଣର ଟୋକନ ଶୀଘ୍ର ପ୍ରଦାନ, ଏମଏସପିକୁ ଆଇନର ମାନ୍ୟତା ପ୍ରଦାନ କରିବା, ସ୍ୱାମୀନାଥନ କମିଶନକୁ ଲାଗୁ କରିବା, ଜିଲ୍ଲା ସମସ୍ତ ସେବା ସମବାୟ ସମିତି (ପେକ୍ସ) ଅଧୀନସ୍ଥ ଚାଷୀମାନଙ୍କର ଅମଳ କରିଥିବା ଧାନ ଗୁଡ଼ିକୁ ବିକ୍ରୟ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଚାଷୀମାନେ ଏହି ବୈଠକରେ ଦାବି କରିଛନ୍ତି।