ଆଜି କୋଚି-ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ଟା ବେଳେ ଭିଡ଼ିଓ କନଫରେନ୍ସିଂ ଯୋଗେ କୋଚି-ମାଙ୍ଗାଲୋର ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ୪୫୦ କିଲୋମିଟର ଦୀର୍ଘ ପାଇପଲାଇନ ଗେଲଇଣ୍ଡିଆ ଲିମିଟେଡ୍‍ ଦ୍ୱାରା ନିର୍ମିତ ହୋଇଛି।

ଏହାର ପରିବହନ କ୍ଷମତା ଦୈନିକ ୧୨ ନିୟୁତ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର ରହିଛି। ଏହି ପାଇପଲାଇନ ଏର୍ଣ୍ଣାକୁଲମ, ତ୍ରିସୁର, ପାଲାକାଡ, ମଲପୁରମ୍‍, କୋଜିକୋଡ଼, କନୌର ଓ କାଶରାଗଡ଼ ଜିଲ୍ଲା ଦେଇ କେରଳର କୋଚିସ୍ଥିତ ତରଳୀକୃତ ପ୍ରାକୃତିକ ଗ୍ୟାସ୍‍ ପୁନଃ ବାଷ୍ପୀକରଣ ଟର୍ମିନାଲରୁ କର୍ଣ୍ଣାଟକର ମାଙ୍ଗାଲୋର ପର୍ଯ୍ୟନ୍ତ ଗ୍ୟାସ୍‍ ପରିବହନ କରିବ।

ଏହି ପ୍ରକଳ୍ପ ନିର୍ମାଣ ବାବଦରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୧୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ପାଇପଲାଇନ ୧୦୦ରୁ ଅଧିକ ଜଳାଶୟ ଅତିକ୍ରମ କରୁଥିବାରୁ ଏହାର ନିର୍ମାଣ ଇଞ୍ଜିନିୟରିଂ କ୍ଷେତ୍ର ପାଇଁ ଏକ ବିରାଟ ଆହ୍ୱାନ। ହରାଇଜେଣ୍ଟାଲ ଡ୍ରିଲିଂ ପଦ୍ଧତି ଦ୍ୱାରା ଏହି ପ୍ରକଳ୍ପର ନିର୍ମାଣ କରାଯାଇଛି।