ସିଡିଏମଓଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନିୟମିତତାର ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ଗତ ୨ଦିନ ତଳେ ବର୍ତ୍ତମାନର ଭାରପ୍ରାପ୍ତ ଚିକିତ୍ସାଧିକାରୀ (ସିଡ଼ିଏମଓ) ମଳୟ ପ୍ରଧାନଙ୍କୁ ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ଚାର୍ଜରେ ଥିବା ଦେବାଶିଷ ସାହୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହାକୁ ନେଇ ସିଡ଼ିଏମଓ ମଳୟ ପ୍ରଧାନ ଦାନଗଦି ଫାଣ୍ଡିରେ ଅଭିଯୋଗ କରିଥିଲେ।

ଏହାପରେ ଦାନଗଦି ଫାଣ୍ଡି ଅଧିକାରୀ କେସ ନମ୍ବର ୨୯୪/୫୦୬ ରେ ଏକ ମକଦ୍ଦମା ରୁଜୁ କରିଥିଲେ। ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଏକ ଟିମ୍ ଏସବୁର ତଦନ୍ତ କରୁଛି। ତଦନ୍ତ ପରେ ରିପୋର୍ଟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତଦନ୍ତ ଅଧିକାରୀ ରମେଶ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।

ସେହିପରି ପୂର୍ବରୁ ଏହି ମେଡିକାଲରେ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏପରିକି ରୋଗୀମାନଙ୍କୁ ମାଗଣା ଔଷଧ ଯୋଗାଇ ଦେବାରେ ଅବହେଳା ହୋଇଛି। ଏହି ସବୁକୁ ନେଇ ଦୀର୍ଘଦିନ ଧରି ମେଡିକାଲରେ ଏକ ଅଶାନ୍ତ ବାତାବରଣ ଲାଗି ରହିଛି। ଏହାର ପ୍ରଭାବରେ ରୋଗୀସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି।