ସଂସଦରେ କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଲୋକସଭାର ବଜେଟ ଅଧିବେସନ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧନ୍ୟବାଦ ପ୍ରସ୍ତାବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି । ଏହି ଅବସରରେ ମୋଦୀ ପ୍ରଥମେ ସ୍ୱର କୋକିଳା ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସ୍ୱାଧୀନତାର ଅମୃତ ମହୋତ୍ସବ ଏକ ପ୍ରେରଣାଦାୟୀ ଅବସର । ଦେଶକୁ ଶିଖରରେ ପହଞ୍ଚାଇବା ପାଇଁ ଆମେ ସଙ୍କଳ୍ପବଦ୍ଧ । ଦେଶ ସମ୍ପୂର୍ଣ୍ଣ ଦୃଢ଼ତାର ସହକାରେ ଆଗକୁ ବଢ଼ି ଚାଲିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ପକ୍କା ଘର ଦିଆଯିବା ସହ ଶୌଚାଳୟ ଓ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଉଛି । କରୋନା ଆରମ୍ଭରେ ସମଗ୍ର ବିଶ୍ୱ ଭାବୁଥିଲା ଭାରତ ମୁକାବିଲା କରିପାରିବ ନାହିଁ । କିନ୍ତୁ ଆଜି ଭାରତ ତା’ର ଶକ୍ତି ପ୍ରଦର୍ଶନ କରିଛି । ଶତ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । କରୋନା କାଳରେ ଭାରତର ସାମର୍ଥ୍ୟ ଆଜି ସମଗ୍ର ବିଶ୍ୱରେ ଉଦାହରଣୀୟ ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ସମୟରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ, ଆପଣ ଯେଉଁ ଏତେ ଲମ୍ବା ଭାଷଣ ଦେଉଛନ୍ତି, ବୋଧହୁଏ ଭୁଲି ଯାଉଛନ୍ତି ଦୀର୍ଘ ୫୦ ବର୍ଷ ଆପଣମାନେ ବି ଏଠାରେ କେବଳ ବସିବା କାମ କରିଥିଲେ । ନାଗାଲାଣ୍ଡ ଲୋକ ଆପଣଙ୍କୁ ଶେଷଥର ପାଇଁ ୧୯୮୮ରେ ଭୋଟ ଦେଇଥିଲେ । ଓଡ଼ିଶାରେ ୨୭ ବର୍ଷ ପୂର୍ବରୁ ଆପଣଙ୍କୁ ଭୋଟ କରିଥିଲେ । ଆଉ ୩୪ ବର୍ଷ ପୂର୍ବରୁ ତ୍ରିପୁରା ଜନତା ଆପଣଙ୍କୁ ଭୋଟ ଦେଇଥିଲେ । କରୋନା କାଳରେ କଂଗ୍ରେସ ସବୁ ସୀମା ପାର କରି ଦେଇଥିଲା । ପ୍ରଥମ ଲହର ସମୟରେ ଯେତେବେଳେ ଦେଶରେ ଲକଡାଉନ ପାଳନ ହେଉଥିଲା ସେତେବେଳେ କଂଗ୍ରେସ ମୁମ୍ବାଇ ଷ୍ଟେସନରେ ଶ୍ରମିକଙ୍କୁ ଫ୍ରିରେ ଟିକେଟ ବାଣ୍ଟିଥିଲା । ଏପରି କରି ଆପଣମାନେ ବହୁତ ବଡ଼ ପାପ କରିଛନ୍ତି ।