ଲତା ମଙ୍ଗେସକରଙ୍କୁ ମନେ ପକାଇଲେ ମୋଦୀ

ନୂଆଦିଲ୍ଲୀ: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ହେଉଛି ୯୩ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଉତ୍ତରପ୍ରଦେଶର ଅଯୋଦ୍ଧା ସହରରେ ଲତା ଜୀଙ୍କ ନାଁରେ ଏକ ଛକ ଉଦଘାଟନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସିବ୍ୟକ୍ତ କରି କହିଛନ୍ତି ଯେ, ଲତା ଜୀ ମା’ ସରସ୍ୱତୀଙ୍କ ଏମିତି ଜଣେ ସାଧିକା ଥିଲେ ଯିଏକି ସମଗ୍ର ବିଶ୍ୱକୁ ନିଜ ଦିବ୍ୟ ସ୍ୱରରେ ଅଭିଭୂତ କରିଥିଲେ ।

ଲତା ଜୀଙ୍କ ସହ ନିଜ ସ୍ମୃତିକୁ ମନେ ପକାଇ ମୋଦୀ କହିଛନ୍ତି ଯେ, ଲତା ଜୀଙ୍କ ସହ ମୋର ଅନେକ ଭାବବିହ୍ୱଳ ଓ ସ୍ନେହପୂର୍ଣ୍ଣ ସ୍ମୃତି ରହିଛି । ତାଙ୍କ କଥାରେ ଯେଉଁ ମଧୁରତା ଥିଲା ତାହା ମୋତେ ସର୍ବଦା ମନ୍ତ୍ରମୁଗ୍ଧ କରୁଥିଲା । ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ଯେତେବେଳେ ଭୂମିପୂଜନ ସମ୍ପନ୍ନ ହୋଇଥିଲା ସେତେବେଳେ ସେ ମୋତେ ଫୋନ କରିଥିଲେ । ସେ ବହୁତ ଖୁସି ଥିଲେ । ରାମ ମନ୍ଦିର ନିର୍ମାଣ ଆରମ୍ଭ ହେଉଥିଲା ବୋଲି ସେ ବିଶ୍ୱାସ କରିପାରୁ ନଥିଲେ ।