ଦେବଗଡ଼,ଏନ୍ଏନ୍ଏସ୍: ଗତକାଲି ବିଳମ୍ବିତ ରାତିରେ ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ନିକଟରେ ଏକ ମାଲବାହୀ ଟ୍ରକରୁ ଲୁଟ ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ପୌରାଞ୍ଚଳ ଗୁରୁସାହିର ତ୍ରିନାଥ ଦାଶ, ବାସୁଦେବପୁର ଗ୍ରାମର ଦୀପକ ଆଚାର୍ଯ୍ୟ ଓ ବାରକୋଟ ବ୍ଲକ ଚାପବାହାଲ ଗ୍ରାମର ପ୍ରମୋଦ ନାୟକ ।
ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରାତି ପ୍ରାୟ ୧ଟା ୩୦ରେ କେନ୍ଦୁଝର ପଟୁ ବରଗଡ଼ ଅଭିମୁଖେ ଯାଉଥିବା ଏକ କୁଣ୍ଡା ବୋଝେଇ ଟ୍ରକକୁ ଦେବଗଡ଼ ବାଇପାସ ନିକଟରେ ଏକ କାରରେ ୩ଜଣ ଯୁବକ ଅଟକାଇବାକୁ ଚେଷ୍ଟା କରିଥିଲେ । ଗାଡ଼ି ଚାଳକ ଗୋପାଳ ମିର୍ଦ୍ଧା ଗାଡ଼ିକୁ ସେଠାରେ ନ ଅଟକାଇ କୁରଡ଼ ଗ୍ରାମ ନିକଟରେ ପହଞ୍ଚିବା ପୂର୍ବରୁ ଲୁଟେରାମାନେ ଆସି ଟ୍ରକ ସମ୍ମୁଖରେ କାରକୁ ଛିଡ଼ା କରିଥିଲେ । ଆଉ ଗାଡ଼ି ଚାଳକକୁ ଆକ୍ରମଣ କରିବା ସହ ପର୍ସ, ମୋବାଇଲ ଫୋନ ଓ ଗାଡ଼ି ଚାବି ଛଡ଼ାଇ ନେଇ ଫେରାର ହୋଇ ଯାଇଥିଲେ । ହାଇୱେ ଉପରେ ଏଭଳି ଲୁଟ ଦେଖି ଅନ୍ୟ ଗାଡ଼ିର ଚାଳକମାନେ ନିକଟରେ ଥିବା ଚା’ ଦୋକାନରେ ଖବର ଦେବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ପହଞ୍ଚିଥିଲେ । ହେଲେ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ଗାଡ଼ି ଚାଳକ ଗୋପାଳ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗାଡ଼ି ଚାଳକକୁ ଆକ୍ରମଣ କରିବା ସମୟରେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପାଇଁ ଆସିଥିବା ଜାଣିବା ପରେ ସେଠାରେ ପହଞ୍ଚି ସମସ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିଥିଲା । ଏହାସହ ସେମାନେ ବ୍ୟବହାର କରୁଥିବା କାରକୁ ମଧ୍ୟ ଜବତ କରିଥିବା ଜଣାପଡ଼ିଛି ।