ଆମେରିକୀୟ ଟେକ୍ନୋଲଜି କମ୍ପାନୀର ସିଇଓଙ୍କୁ ଭେଟିଲେ ମୋଦୀ

  • ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଟେକ୍ନୋଲଜି କମ୍ପାନୀର ସିଇଓଙ୍କୁ ଭେଟି ଭାରତରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। ମୋଦୀ ୫ଟି ଆମେରିକୀୟ କମ୍ପାନୀର ସିଇଓଙ୍କୁ ଭେଟିବାକୁ ଥିବାବେଳେ ଆଜି କ୍ୱାଲକମର ସିଇଓ କ୍ରିଷ୍ଟିଆନୋ ଆମୋନଙ୍କ ସହ ବୈଠକ କରିଛନ୍ତି। ମୋଦୀଙ୍କୁ ଭେଟିବା ପରେ ଆମୋନ କହିଛନ୍ତି ଯେ, ସେ ଭାରତରେ ୫ଜି, ସେମି-କଣ୍ଡକ୍ଟର, ଡିଜିଟାଲ ଇଣ୍ଡିଆ ଆଦି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ ଅଛନ୍ତି। ଭାରତରେ କ୍ୱାଲକମକୁ ସବୁପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମୋଦୀ କହିଛନ୍ତି। ମୋଦୀ ମଧ୍ୟ ଆଡୋବି କମ୍ପାନୀର ଅଧ୍ୟକ୍ଷ ଶାନ୍ତନୁ ନାରାୟନନଙ୍କ ସହ ଆଲୋଚନା କରିଛନ୍ତି। ଭାରତର ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେଶନ କ୍ଷେତ୍ରରେ ନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଏହି କମ୍ପାନୀକୁ ଆମନ୍ତ୍ରଣ କରିଛନ୍ତି।
  • ଏହାପରେ ମୋଦୀ ଜେନେରାଲ ଆଟମିକ୍ସର ସିଇଓ ବିବେକ ଲାଲ ଓ ବ୍ଲାକଷ୍ଟୋନର ସିଇଓ ଷ୍ଟିଫେନ ସ୍ୱାର୍ଜମ୍ୟାନଙ୍କୁ ଭେଟିବେ। ଜେନେରାଲ ଆଟମିକ୍ସ କମ୍ପାନୀ ଲଢୁଆ ଡ୍ରୋନ ପ୍ରିଡେଟର ନିର୍ମାଣ କରୁଥିବାରୁ ମୋଦୀଙ୍କ ସହ ବିବେକଙ୍କ ବୈଠକକୁ ଗୁରୁତ୍ୱ ଦିଆଯାଉଛି। ପରବର୍ତ୍ତୀ ସମୟରେ ମୋଦୀ ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ, ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।