ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ୨ ଦିନିଆ ‘ଭାରତ ଡ୍ରୋନ୍ ମହୋତ୍ସବ ୨୦୨୨’ର ଶୁଭାରମ୍ଭ କରିଛନ୍ତି । ମହୋତ୍ସବର ପ୍ରଥମ ଦିନରେ ନିଜେ ମୋଦୀ ଡ୍ରୋନ୍ ଉଡ଼ାଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଏଥିସହିତ କୃଷି କ୍ଷେତ୍ରରେ ଡ୍ରୋନର ଉପଯୋଗ କରୁଥିବା କୃଷକଙ୍କ ସହ ମଧ୍ୟ ମୋଦୀ କଥା ହୋଇଥିଲେ । ଏହି ଅବସରରେ ମୋଦୀ କହିଛନ୍ତି ଯେ, ଡ୍ରୋନ୍ ଟେକ୍ନୋଲୋଜୀକୁ ଗୁରୁତ୍ୱ ଦେବା ସୁଶାସନ ଓ ଜୀବନକୁ ସହଜ କରିବାର ଅନ୍ୟ ଏକ ମାଧ୍ୟମ । ଡ୍ରୋନ୍ ରୂପେ ଆମ ପାଖରେ ଏକ ସ୍ମାର୍ଟ ଯନ୍ତ୍ର ରହିଛି ଯାହାକି ଲୋକଙ୍କ ଜୀବନର ଏକ ଅଂଶ ପାଲଟିବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ୨୦୧୪ ପୂର୍ବରୁ ଶାସନରେ ଟେକ୍ନୋଲୋଜୀର ବ୍ୟବହାର ପ୍ରତି ଉଦାସୀନତା ଥିଲା । ଏହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ଲୋକ ଖୁବ୍ ପ୍ରଭାବିତ ହେଉଥିଲେ । ବର୍ତ୍ତମାନ ସରକାର ଡ୍ରୋନ୍ ଓ ଅନ୍ୟ ଟେକ୍ନୋଲୋଜୀ ସାହଯ୍ୟରେ ସେବାକୁ ଶୀର୍ଷରେ ପହଞ୍ଚାଇବାକୁ ସୁନିଶ୍ଚିତ କରିଛନ୍ତି ।