ପାଟଣାଗଡ଼ ଡାକ୍ତରଖାନାରେ ମୋବାଇଲ ଲାଇଟରେ ଚିକିତ୍ସା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ମୋବାଇଲ ଲାଇଟରେ ଚିକିତ୍ସା ହେବାର ଆଉ ଏକ ଘଟଣା ପାଟଣାଗଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ରେଢ଼ାଖୋଲର ଆଇନଜୀବୀ ଅବନୀ ପଣ୍ଡାକୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିପରି ତୁରେକେଲା ଥାନା ଅନ୍ତର୍ଗତ ବାଗବାହାଲ ଗାଁର ଶାନ୍ତି ରଣା ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ପାଟଣାଗଡ଼ ଅଣାଯାଇଥିଲା । ହେଲେ ଝଡ଼ ତୋଫାନ ଯୋଗୁ ଡାକ୍ତରଖାନାରେ ଲାଇନ ନ ଥିବାରୁ ଉଭୟଙ୍କୁ ମୋବାଇଲ ଲାଇଟରେ ଚିକିତ୍ସା କରାଯାଇଥିଲା ।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୯ଟାରେ ପାଟଣାଗଡ଼ ଅଞ୍ଚଳରେ ଝଡ ତୋଫାନ ସାଙ୍ଗକୁ ବର୍ଷା ହାଇଥିଲା । ସେହି ସମୟରେ ବଲାଙ୍ଗିର ପଟୁ ନୀଳ ରଙ୍ଗର କାରରେ ରେଢ଼ାଖୋଲର ଆଇନଜୀବୀ ଅବନୀ ପଣ୍ଡା ନୂଆପଡ଼ାକୁ ଯାଉଥିଲେ । ଅନ୍ୟପଟେ ବିପରୀତ ଦିଗରୁ ବଲାଙ୍ଗିରର ଜଣେ ଯୁବକ ନେହେନାବନ୍ଦରୁ ବଲାଙ୍ଗିର ଫେରୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଆଇନଜୀବୀ ପଣ୍ଡା ଆହତ ହୋଇଥିଲେ । ସେହି ରାସ୍ତାରେ ଆସୁଥିବା ଲୋକେ ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନା ଆଣିଥିଲେ । ଡାକ୍ତରଖାନାରେ ଲାଇନ ନ ଥିବାରୁ ତାଙ୍କୁ ମୋବାଇଲ ଲାଇଟରେ ଚିକିତ୍ସା କରାଯାଇଥିଲା । ଉକ୍ତ ଘଟଣା ସମ୍ପର୍କରେ ପାଟଣାଗଡ଼ ଭାରପ୍ରାପ୍ତ ଏସଡିଏମଓଙ୍କୁ ପଚାରିବାରୁ ଡାକ୍ତରଖାନାରେ ଥିବା ଜେନେରଟର ତା’ର ଛିଣ୍ଡି ଯାଇଥିବା ଯୋଗୁ ଏ ଅସୁବିଧା ହୋଇଥିବା ସ୍ୱୀକାର କରିଥିଲେ ।