ସାପ କାମୁଡ଼ାରେ ମା’ ଓ ଝିଅଙ୍କ ମୃତ୍ୟୁ

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାଲ ଗାଁରେ ସାପ କାମୁଡ଼ାରେ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ମା’ ନିରାଶ ଶବର ଓ ଝିଅ ସବିତା ଶବର ହୋଇଥିବା ଜଣାପଡ଼ିଛି । ଉଭୟ ମା’ ଓ ଝିଅଙ୍କ ମୃତ ଶରୀର ଏବେ ଜିଲ୍ଲା ମୁଖ୍ୟାଳୟରେ ପଡ଼ି ରହିଛି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରାତିରେ କେନ୍ଦୁବାହାରା ଗାଁର ଶ୍ୟାମଲାଲ ଶବରଙ୍କ ସ୍ତ୍ରୀ ନିରାଶ ଓ ଝିଅ ସବିତା ଖାଇ ପିଇ ଚଟାଣରେ ଶୋଇଥିଲେ । ରାତି ପ୍ରାୟ ୨ଟାରେ ଏକ ବିଷାକ୍ତ ସାପ ଆସି ପ୍ରଥମେ ଝିଅ ସବିତା ଓ ପରେ ମା’ ନିରାଶଙ୍କୁ କାମୁଡ଼ି ଥିଲା । ଏହା ଜାଣିବା ପରେ ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ଉଭୟଙ୍କୁ ବୁର୍ଲା ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ତେବେ ବୁର୍ଲା ନେବାବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ନିକଟରେ ପ୍ରଥମେ ମା’ ଓ ପରେ ଝିଅଙ୍କ ମୃତ୍ୟୁ ହୋଇଥିଲା ।