‘ମୋ ସାଇକେଲ’ ଯୋଜନା ବାଟବଣା

  • ଭୁବନେଶ୍ୱର: ରାଜଧାନୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ଲୋକଙ୍କ ମନରେ ସାଇକେଲ ପ୍ରତି ଆଗ୍ରହ ବଢ଼ାଇବା ଲକ୍ଷ୍ୟରେ ବିଏମସି ‘ମୋ ସାଇକେଲ୍’ ଯୋଜନା ଆରମ୍ଭ କରିଥିଲା। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ଟ୍ରାକ୍ ନିର୍ମାଣ କରାଗଲା ଓ ଷ୍ଟାଣ୍ଡ ବସିଲା। ହେଲେ ଏବେ ଏହି ସାଇକେଲ କବାଡ଼ି ଖାନାରେ ପଡ଼ିରହିଛି। ଏଥିରୁ ଲାଗୁଛି ଯେ ବିଏମସିର ଏହି ଯୋଜନା ବାଟବଣା ହୋଇଯାଇଛି।
    ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟରେ ଥିବା ଏକ କବାଡ଼ି ଦୋକାନରେ ବହୁ ସଂଖ୍ୟାରେ ସାଇକେଲ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସେଥିରୁ କିଛି ସାଇକେଲ୍ ଗଡ଼ିବା ସ୍ଥିତିରେ ଅଛି। କିନ୍ତୁ ଏମିତି ପରିତ୍ୟକ୍ତ ଅବସ୍ଥାରେ କାହିଁକି ପଡ଼ିଛି, ତାକୁ ନେଇ ଅନେକେଙ୍କ ମନରେ ପ୍ରଶ୍ନ। ଉକ୍ତ କବାଡ଼ି ଖାନାର ମାଲିକ କହିଛନ୍ତି ଯେ, ସେ ଗୋଟିଏକୁ ୫ଶହ ଟଙ୍କା ହିସାବରେ ୨୫୦ଟି ସାଇକଲ ହ୍ୟାକ୍ସି ନାମକ କମ୍ପାନୀଠାରୁ କିଣିଛନ୍ତି। ସେଥିରୁ ଜିପିଏସ୍ ମେସିନ୍ ଖୋଲି କମ୍ପାନୀକୁ ଫେରାଇ ଦେବା ପରେ ବାକି ସବୁ ଅଂଶ ସ୍କ୍ରାପ୍ କରି ବିକ୍ରି କରୁଛନ୍ତି। ତେବେ ଗଦା ହୋଇଥିବା ସାଇକେଲରୁ ଅଧିକାଂଶ ଗଡ଼ିବା ସ୍ଥିତିରେ ରହିଛି। ତେଣୁ ସଚଳ ସାଇକଲ ସ୍କ୍ରାପିଂ ପାଇଁ ଦିଆଯିବା ନିଷ୍ପତ୍ତିକୁ କିନ୍ତୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜଧାନୀ ବାସିନ୍ଦା। ଏ ନେଇ ଜଣେ ରାଜଧାନୀ ବାସିନ୍ଦା କହିଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ଟ୍ରାକ୍ ନିର୍ମାଣ ହେଲା। ହେଲେ ସାଇକେଲ କିନ୍ତୁ କବାଡ଼ି ଖାନାରେ ପଡ଼ିଛି।
    ସୂଚନାଯୋଗ୍ୟ, ୨୦୧୮ ହକି ବିଶ୍ୱକପ୍ ବେଳେ ବିଶ୍ୱ ଦରବାରରେ ସ୍ମାର୍ଟ ସିଟିର ପରିଚୟ ଦୁଇ ଗୁଣା କରିବା ଲକ୍ଷ୍ୟରେ ବିଏମସି ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରି ୨ହଜାର ସାଇକେଲ କିଣିଥିଲା। ହ୍ୟାକ୍ସି, ୟୋନା ଏବଂ ୟୁଲୁ ନାମକ ୩ଟି ଅଲଗା ଅଲଗା କମ୍ପାନୀଙ୍କଠୁ ୫ବର୍ଷ ପାଇଁ ସାଇକେଲ ପିଛା ୨୫ ହଜାର ଟଙ୍କା ଦେଇ କିଣିଥିଲା। ହେଲେ ମାତ୍ର ୨ବର୍ଷ ଭିତରେ ନିଜ ସାଇକେଲଗୁଡିକୁ ସ୍କ୍ରାପିଂ କରିବା ପାଇଁ କମ୍ପାନୀ ଏହାକୁ ବିକି ଦେଲା।
    ଏ ନେଇ ଓଡ଼ିଶା ଅପରେସନ ମ୍ୟାନେଜର ସୂର୍ଯ୍ୟକାନ୍ତ ଦଳବେହେରା କହିଛନ୍ତି, ରାଜଧାନୀରେ ପ୍ରଥମେ ୧ ହଜାର ସାଇକେଲ ପାଇଁ ବିଏମସି ସହ ଚୁକ୍ତି ହୋଇଥିଲା। କିନ୍ତୁ ପରେ ଚାହିଦା ବଢ଼ିବାରୁ ଆଉ ଅଧିକ ୪ଶହ ସାଇକେଲ କମ୍ପାନୀ କାମରେ ଲଗାଇଥିଲେ। ତେଣୁ ସେ ଅତିରିକ୍ତ ୪ଶହ ସାଇକେଲ ଭିତରୁ ଖରାପ ହୋଇଥିବା ସାଇକେଲଗୁଡିକୁ ଭାଙ୍ଗି ଦରକାରୀ ଯନ୍ତ୍ରାଂଶଗୁଡିକୁ ଅନ୍ୟ ସାଇକେଲରେ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଛି। ତେଣୁ ଖରାପ ସାଇକେଲ କବାଡ଼ି ବ୍ୟବସାୟୀଙ୍କୁ ଦିଆଯାଇଛି। ଅନ୍ୟପଟେ ପୂରା ଘଟଣାର ତଦନ୍ତ ପରେ କୌଣସି ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ବିଏମସି କମିଶନର।