ବିଧାୟକ ରନ୍ଧାରୀଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପ୍ରଶଂସା

ନବରଙ୍ଗପୁର,ଏନ୍ଏନ୍ଏସ୍: ବର୍ତ୍ତମାନ ସଙ୍କଟମୟ ପରିସ୍ଥିତିରେ ଯୁବଗୋଷ୍ଠୀ କୃଷିକାର୍ଯ୍ୟ ପ୍ରତି ବିମୁଖ ହେବାସହ ମୁହଁ ଫେରାଇ ନେଉଛନ୍ତି। ପ୍ରବାସୀମାନେ ମଧ୍ୟ ଚାଷ ଉପରେ ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳୁଛି। କିନ୍ତୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ୩ଥର ବିଧାୟକ ହୋଇ ମଧ୍ୟ ନିଜ ଚାଷଜମିରେ ହଳ କରିବାଠାରୁ ଆରମ୍ଭ କରି ଧାନରୁଆ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିଆସୁଛନ୍ତି। ଏହାକୁ ନେଇ ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି। ପ୍ରକାଶଥାଉ କି, ଗତ ରବିବାର ଦିନ ଝିପିଝିପି ବର୍ଷାରେ ବିଧାୟକ ଶ୍ରୀ ରନ୍ଧାରୀ ନିଜ ପୁଜାରୀଗୁଡ଼ାସ୍ଥିତ ଜମିରେ ହଳ ବୁଲାଇବା ସହ ଶ୍ରମିକମାନଙ୍କ ସହ ମିଶି ନିଜ ଜମିରେ ଧାନ ରୋଇଥିଲେ। ରାଜନୀତିରେ ସକ୍ରିୟ ରହି ନିଜର ଚାଷ ପଛାଇ ଯାଇଥିବାରୁ ସେଥିରୁ କିଛି ସମୟ ବାହାର କରି ଚାଷକାର୍ଯ୍ୟ କରିଥିଲେ। ନିଜର ଚାଷ ବହୁ ଡେରି ହୋଇଯାଇଥିଲା, ପାଖରେ ଥିବା ସମସ୍ତ ଜମି ଧାନରୁଆ ସରିଥିଲା। ତେଣୁ ରାଜନୀତିରୁ ସମୟ ବାହାରକରି ଚାଷକାମରେ ନିଜକୁ ସାମିଲ କରିଥିଲେ। ପିଲାବେଳୁ ଚାଷ ପ୍ରତି ତାଙ୍କର ଦୁର୍ବଳତା ଥିବା କଥା ବିଧାୟକ ଶ୍ରୀ ରନ୍ଧାରୀ କହିଛନ୍ତି। ଏହାସହ ନବରଙ୍ଗପୁର ଜିଲ୍ଲା ଏକ କୃଷିପ୍ରଧାନ ଜିଲ୍ଲା। ଜିଲ୍ଲାରେ ଲୋକେ କାମ ନପାଇ ବାହାର ରାଜ୍ୟକୁ ଯାଉଛନ୍ତି। କିନ୍ତୁ ନିଜ ଜିଲ୍ଲାରେ ଯଦି ଚାଷ ଉପରେ ଗୁରୁତ୍ୱ ଦିଅନ୍ତେ ଭବିଷ୍ୟତରେ ନବରଙ୍ଗପୁର ଜିଲ୍ଲା ସମଗ୍ର ରାଜ୍ୟ ଓ ଦେଶ ପାଇଁ ଉଦାହରଣ ସୃଷ୍ଟି କରନ୍ତେ ବୋଲି ଶ୍ରୀ ରନ୍ଧାରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।