ରାଉରକେଲାରୁ ନକଲି ଆଇପିଏସ୍ ଅଫିସର ଗିରଫ

ରାଉରକେଲା, ଏନ୍ଏନ୍ଏସ୍: ନିଜକୁ ଟ୍ରେନିଂ ନେଉଥିବା ଆଇପିଏସ୍ ଅଫିସର ଦର୍ଶାଇ ଏକ ବୁଲେଟ ଶୋ’ରୁମରୁ ବୁଲେଟ୍ ନେଇଥିବା ଜଣେ ନକଲି ମହିଳାଙ୍କୁ ଆଜି ଉଦିତନଗର ଥାନା ପୁଲିସ ଗିରଫ କରିଛି। ଉକ୍ତ ମହିଳା ଜଣକ ହେଉଛନ୍ତି ଶର୍ମିଷ୍ଠା ବେହେରା। ଗତକାଲି ସନ୍ଧ୍ୟାରେ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ତାଙ୍କୁ ଏକ ହୋଟେଲରୁ ଗିରଫ କରିଛି। ଗିରଫ ମହିଳାଙ୍କ ନିକଟରୁ ନକଲି ପରିଚୟ ପତ୍ର, ନକଲି ନେମ୍ ପ୍ଲେଟ ଥିବା ପୁଲିସ ପୋଷାକ, ଟ୍ରେନିଂ ନେଇଥିବା ନକଲି ପ୍ରମାଣପତ୍ର ଆଦି ଜବତ ହୋଇଛି। ଏ ନେଇ ଡିଏସ୍ପି ଜୋନ୍-୨ ପିକେ ମିଶ୍ର ଆଜି ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଚଳିତମାସ ୧୧ ତାରିଖରେ ମହିଳା ବାସନ୍ତୀକଲୋନୀସ୍ଥିତ ବୁଲେଟ୍ ଶୋ’ରୁମରୁ ନକଲି ପରିଚୟପତ୍ର ଦାଖଲ କରି ଶୋ’ରୁମ ପରିସରରେ ଥିବା ଚୋଲା ଫାଇନାନ୍ସରୁ ଏକ ବୁଲେଟ୍ ନେଇଥିଲେ। ଉକ୍ତ କାଗଜପତ୍ର ଯାଞ୍ଚ କଲାବେଳେ ଫାଇନାନ୍ସ କମ୍ପାନୀ କର୍ତ୍ତୃପକ୍ଷଙ୍କର ସନ୍ଦେହ ହୋଇଥିଲା। ଏହାପରେ ସେମାନେ ଉଦିତନଗର ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ମହିଳା ଜଣଙ୍କ ଭୁବନେଶ୍ୱରରେ ନିଜକୁ ଆଇପିଏସ୍ ଅଫିସର ପରିଚୟ ଦେଇ କମିଶନରେଟ ପୁଲିସର ବିଭିନ୍ନ ଥାନାରୁ ସୁବିଧା ହାସଲ କରୁଥିବା ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଥିଲେ। ସ୍ଥାନୀୟ କମିଶନରେଟ ପୁଲିସ ତାଙ୍କୁ ନୋଟିସ ଦେଇ ଛାଡ଼ି ଦେଇଥିଲା ହେଲେ ଏଥରକ ଠକାମି ପାଇଁ ସେ ଗିରଫ ହେଲେ ବୋଲି ଡିଏସପି ଶ୍ରୀ ମିଶ୍ର କହିଛନ୍ତି।