ରାୟଗଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ନେଇ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ୟା ଗୁଡିକ ଉପରେ ବିଧାୟକ ମକରନ୍ଦ ମୁଦୁଲି ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ବିଶେଷ କରି ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ଓ ରାୟଗଡ଼ା ପୌରାଞ୍ଚଳରେ ଥିବା ଭୂମିହୀନ ମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ରାୟଗଡ଼ା ପୌରାଞ୍ଚଳରେ ୫୪ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ସମ୍ପର୍କରେ ବିଭାଗୀୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା ରାଜ୍ୟ ସରକାରଙ୍କ ୨୦୨୦-୨୧ ବର୍ଷରେ ବସୁଧା ଯୋଜନା ମାଧ୍ୟମରେ ୫୨.୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ୭ଟି ପ୍ରକଳ୍ପକୁ ଅନୁମୋଦନ କରିଥିବା ପ୍ରକାଶ କରିଥିଲେ। ଖୁବଶୀଘ୍ର ଟେଣ୍ଡର ଆହ୍ୱାନ କରାଯାଇ ୨୪ ମାସ ମଧ୍ୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ ବୋଲି ମଧ୍ୟ କହିଛନ୍ତି।

ବିଧାୟକ ଶ୍ରୀମୁଦୁଲି ରାୟଗଡା ଜିଲ୍ଲାରେ ଥିବା ଉତ୍କଳ ଆଲୁମିନା, ଜେକେ ଓ ଇମ୍ଫା କାରଖାନାରେ କେତେ କୁଶଳୀ ଓ ଅର୍ଦ୍ଧ କୁଶଳୀ ଶ୍ରମିକ କାମ କରୁଛନ୍ତି। ଏହାର ଉତ୍ତରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ପ୍ରକାଶ କରିଥିଲେ ଯେ ୨୫୮୬ ଜଣ କୁଶଳୀ ଏବଂ ୨୫୪୧ ଜଣ ଅର୍ଦ୍ଧକୁଶଳୀ ଶ୍ରମିକ କାର୍ଯ୍ୟରତ ଅଛନ୍ତି।

୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ କେତେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇଛି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ବିଧାୟକ ଶ୍ରୀ ମୁଦୁଲି। ଏହାର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଥିଲେ ଯେ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୧୨ ହଜାର ୬୬୧ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ବିଜୁ ପକ୍କା ଘର ମଞ୍ଜୁର କରାଯାଇଥିବା ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ।