ମନ୍ଥର ଗତିରେ ନୂତନ ମିଶନ ଶକ୍ତି ଗୃହ

ଚନ୍ଦ୍ରପୁର,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ପରିସର ମଧ୍ୟରେ ଥିବା ମିଶନ ଶକ୍ତିର ନୂତନ କୋଠା ତିଆରି ଚାଲିଛି। ଗତ ପ୍ରାୟ ୨ରୁ ୩ ବର୍ଷ ହେବ କାମ ଆରମ୍ଭ ହୋଇଥିବାବେଳେ ଏବେ ଏହା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଏହି ମିଶନ ଶକ୍ତି ଗୃହଟି କେଉଁ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଛି ତାହା ମିଶନ ଶକ୍ତି ବିଭାଗର ବିପିମ୍ କି ଅନ୍ୟ କୌଣସି ଅଧିକାରୀଙ୍କୁ ଜଣାନାହିଁ । କୋଠା ନିର୍ମାଣ କାର୍ଯ୍ୟର ସୂଚନା ଫଳକ ନଥିବା ଯୋଗୁ କେତେ ଟଙ୍କାର କୋଠା ନିର୍ମାଣ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କୌଣସି ସରକାରୀ କୋଠା ନିର୍ମାଣ ହେବା ପୂର୍ବରୁ ସୂଚନା ଫଳକ ଲଗାଇବା ନିୟମ ଥିଲେ ମଧ୍ୟ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିିଳିଛି । ନିମ୍ନମାନର କାମ ହୋଇଥିବାବେଳେ କୌଣସି ଅଧିକାରୀ ତଦାରଖ ପାଇଁ ଆସୁନଥିବା ନେଇ ଗୋପନରେ ବିଭାଗୀୟ କହିଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ସଲାସୁତୁରାରେ କାମ ଚାଲୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ଏଭଳି ଅଧାପନ୍ତରିଆ ସରକାରୀ ଗୃହ ଯଦି ରୁହେ ତେବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ କିମ୍ବା ଭୂତ ପିଶାଚଙ୍କ କୋଠରୀ ପାଲଟିବାକୁ ବେଶୀ ଦିନ ଲାଗିବନି ବୋଲି ଅଞ୍ଚଳବାସୀ କହିଛନ୍ତି । ତେଣୁ ତୁରନ୍ତ ଏହି କୋଠା ନିର୍ମାଣର ସୂଚନା ଫଳକ ଲଗାଇବା ସହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହେଉଛି ।