୫୪ ଦିନରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ: ଏଲ୍‌ଭିଭ୍‌ରେ କ୍ଷେପଣାସ୍ତ୍ର ମାଡ, ୬ ମୃତ

କିଏଭ୍‌,ଏଜେନ୍ସି: ସୋମବାର ସୁଦ୍ଧା ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ୫୪ ଦିନରେ ପହଞ୍ଚିଛି । ରୁଷ୍ ସେନା ପକ୍ଷରୁ ୟୁକ୍ରେନ୍‌ର ଏଲଭିଭ୍ ସହର ଉପରେ କ୍ଷେପଣାସ୍ତ୍ର ମାଡ କରାଯାଇଥିବାବେଳେ ୬ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । ଏହାବ୍ୟତୀତ ୧୦ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହାବ୍ୟତୀତ ମାରିୟୁପୋଲ ସହରରେ ମଧ୍ୟ ଘମାଘୋଟ ଯୁଦ୍ଧ ଲାଗିଥିବାବେଳେ ଏହା ଖୁବଶୀଘ୍ର ସେମାନଙ୍କ କବ୍‌ଜାକୁ ଆସିବ ବୋଲି ରୁଷ୍ ପକ୍ଷରୁ ଦାବି କରାଯାଇଛି ।

ସୋମବାର ଏଲଭିଭ୍ ସହର ଉପରେ ୫ଟିି କ୍ଷେପଣାସ୍ତ୍ର ମାଡ କରାଯାଇଛି ବୋଲି ଏଲ୍‌ଭିଭ୍ ମେୟର ଜଣାଇଛନ୍ତି । ଅପରପକ୍ଷରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଥିବାରୁ ରୁଷ୍ ଏକପ୍ରକାର ଆତଙ୍କବାଦ ଚଳାଇଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍‌ସ୍କି ଅଭିଯୋଗ କରିଛନ୍ତି । ମାରିୟୁପୋଲରେ ରୁଷ୍ ସେନା ସାଧାରଣ ନାଗରିକଙ୍କୁ ନିର୍ଯାତନା ଦେବାସହିତ ଅପହରଣ କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ରୁଷ୍ ଆକ୍ରମଣରେ ଅତିଷ୍ଠ ହୋଇ ୟୁକ୍ରେନ୍‌ର ୫୦ ଲକ୍ଷ ନାଗରିକ ବିଦେଶକୁ ଶରଣାର୍ଥୀଭାବେ ପଳାୟନ କରିଥିବା କୁହାଯାଇଛି ।

ଶନିବାର ସୁଦ୍ଧା ମାରିୟୁପୋଲରେ ୪ ହଜାର ୟୁକ୍ରେନ୍ ସୈନ୍ୟ ନିହତ ହୋଇସାରିଛନ୍ତି ବୋଲି ରୁଷ୍ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଯୁଦ୍ଧଗ୍ରସ୍ତ ମାରିୟୁପୋଲ ସହରର ପୁନଃନିର୍ମାଣ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯିବ ବୋଲି ଜେଲେନ୍‌ସ୍କି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିପାଇଁ ସେ ବିଶ୍ୱବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ସମେତ ପାଶ୍ଚାତ୍ୟ ରାଷ୍ଟ୍ରର ସହଯୋଗ ଲୋଡିଛନ୍ତି ।