ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପ୍ରତିଶ୍ରୁତି ରଖିଲେନି ଲଜକୁରା ଖୋଲାମୁହଁ କୋଇଲା ଖଣି କର୍ତ୍ତୃପକ୍ଷ। ଖଣି ସମ୍ପ୍ରସାରଣରେ ପ୍ରଭାବିତ ତଥା କ୍ଷତିଗ୍ରସ୍ତ ଛୁଆଲିବେର୍ଣ୍ଣା ଗ୍ରାମବାସୀଙ୍କୁ ନିଯୁକ୍ତି ଦିଆଯିବ କହି ଭୁଆଁ ବୁଲାଇଲେ। ପ୍ରତିଶ୍ରୁତିର ଦୀର୍ଘ ୧ ମାସପରେ ମଧ୍ୟ ନିଯୁକ୍ତି ନ ମିଳିବାରୁ ଆଜି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଛୁଆଲିବେର୍ଣ୍ଣା ଗ୍ରାମବାସୀ ଖଣି ସମ୍ମୁଖରେ ଧାରଣା ଦେଇଛନ୍ତି।
ସେମାନେ କହିଛନ୍ତି ଯେ, ଲଜକୁରା ଖୋଲାମୁହଁ କୋଇଲା ଖଣି ସମ୍ପ୍ରସାରଣ ପାଇଁ ଛୁଆଲିବେର୍ଣ୍ଣା ଗ୍ରାମର ୫ଶହ ଏକରରୁ ଅଧିକ ଜଙ୍ଗଲ ଜମି ଅଧିଗ୍ରହଣ ହୋଇଛି। ଏହି ଜଙ୍ଗଲ ଜମି ଅଧିଗ୍ରହଣ ହେବାରୁ ଗରିବ ଲୋକମାନେ ପତ୍ର, ଫୁଲ, ଫଳ, କନ୍ଦମୂଳ, କାଠ ଆଦି ସଂଗ୍ରହ କରି ପାରୁନାହାନ୍ତି। ଗତ ସେପ୍ଟେମ୍ବର ମାସ ୧ ତାରିଖ ଲଜକୁରା କୋଇଲା ଖଣି କର୍ତ୍ତୃପକ୍ଷ ସ୍ଥାନୀୟ ଗ୍ରାମବାସୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ଏମସିଏଲର ତତ୍ୱାବଧାନରେ ନିଳକଣ୍ଠ ମାଇନିଂ ଠିକା ସଂସ୍ଥା ମାଟି କଟା ଏବଂ ମାଟି ପକା କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା ସ୍ଥାନୀୟଲୋକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ତେଣୁ ସ୍ଥାନୀୟଲୋକଙ୍କୁ ନିଯୁକ୍ତି ପ୍ରଦାନ କରାନଗଲେ ଏହି ଧାରଣା ଜାରି ରହିବ ଏବଂ ଖଣି ସମ୍ପ୍ରସାରଣ କରିବାକୁ ଦିଆଯିବ ନାହିଁ ବୋଲି ଛୁଆଲିବେର୍ଣ୍ଣାବାସୀ କହିଛନ୍ତି।