ନିଖୋଜ ହେବାର ୭୨ଘଣ୍ଟା ପରେ ନାବାଳିକା ଉଦ୍ଧାର

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ଶରଣକୋଟ ଗ୍ରାମର ଜଣେ ୧୩ ବର୍ଷିୟା ନାବାଳିକା ନିଖୋଜ ହେବାର ୭୨ଘଣ୍ଟା ପରେ ଗତକାଲି ସଂନ୍ଧ୍ୟାରେ ଭୁବନେଶ୍ୱରରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି କି, ଗତ ସୋମବାର ଶରଣକୋଟ ଗ୍ରାମର ଜଣେ ୧୩ ବର୍ଷୀୟା ନାବାଳିକା ନିଜ ଘରୁ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ପାଇବାରୁ ନାବାଳିକା ମା’ ଏସମ୍ପର୍କରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ବଡ଼କୁର ଗ୍ରାମର ଆଲୋକ ସାହୁ (୧୮) ନିଜର ଅନ୍ୟ ୨ଜଣ ସାଥୀ ମନୋଜ କିସାନ ଓ ଚିନୁ ନାୟକଙ୍କ ସହାୟତାରେ ଉକ୍ତ ନାବାଳିକାକୁ ଅପହରଣ କରି ଭୁବନେଶ୍ୱର ନେଇଯାଇଥିବା ଜାଣିବାକୁ ପାଇଥିଲେ। ଗତକାଲି ବାରକୋଟ ଥାନା ପୁଲିସ ଉକ୍ତ ନାବାଳିକାକୁ ଭୁବନେଶ୍ୱରରୁ ଉଦ୍ଧାର କରିଥିବାବେଳେ ଆଜି ଶିଶୁ ମଙ୍ଗଳ ସମିତି ନିକଟରେ ହାଜିର କରାଯିବ ବୋଲି ସୂଚନା ମିଳିଛି।