ପ୍ରଥମ ପର୍ଯ୍ୟାୟରେ ଝାରସୁଗୁଡ଼ାରେ ପହଞ୍ଚିଲା ୩୨ଶହ କରୋନା ଟିକା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୨ ଶହ ଡୋଜ କରୋନା ଟିକା ପହଞ୍ଚିଛି। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ପୁଲୁସର ଏସକର୍ଟରେ ଗତକାଲି ରାତି ୧୦ଟାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଟିକା ପହଞ୍ଚିଛି। ଏହାକୁ ଷ୍ଟକ ରେଜିଷ୍ଟରରେ ଏଣ୍ଟ୍ରି ପରେ ଭ୍ୟାକ୍ସିନ ଷ୍ଟୋରରେ ରଖାଯାଇଛି। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେଉଥିବା ଟିକାକରଣ ପ୍ରକ୍ରିୟାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବ୍ରଜାରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପଞ୍ଚପଡ଼ା ପ୍ରଥାମିକ ଚିକିତ୍ସାଳୟ ଓ ବେଲପାହାଡ଼ର ଟିଆରଏଲ କ୍ରୋସାକି ହସ୍ପିଟାଲରେ ଦିଆଯିବ। ଏହି ଟିକାକରଣ ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ଲେଖାଏଁ ଫ୍ରଣ୍ଟଲାଇନ ୱାର୍କରଙ୍କୁ ଟିକା ପ୍ରଦାନ କରାଯିବ। ପରେ ଜିଲ୍ଲାରେ ୨୧ଟି ସ୍ଥାନରେ ଭ୍ୟାକ୍ସିନେସନ ପଏଣ୍ଟ ତିଆରି କରି କରୋନା ଟିକା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। ପ୍ରଥମେ ଜିଲ୍ଲାର ୪,୮୧୭ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶକର୍ମୀଙ୍କୁ ଟିକା ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ୩,୮୧୯ଜଣ ସରକରୀ ଓ ୯୪୮ଜଣ ଘରୋଇ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ତେବେ ଆଗାମୀ ଦିନରେ ସରକାରଙ୍କ ଯୋଜନା ଅନୁସାରେ ଅନ୍ୟମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।