ମାଲକାନଗିରିରେ ପହଞ୍ଚିଲା କରୋନା ଟିକା : ପ୍ରଥମ ପର୍ଯ୍ୟାୟରେ ୩,୪୦୦ ଜଣଙ୍କୁ ଦିଆଯିବ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜିି ସକାଳେ କୋରନା ଟିକା ପହଞ୍ଚିଛି। ଭୁବନେଶ୍ୱରରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏକ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଟିକା ଆସି ପହଞ୍ଚିବା ପରେ ମାଲକାନଗିରିସ୍ଥିତ ଜିଲ୍ଲା ଟିକା ଭଣ୍ଡାରର ଫ୍ରିଜରରେ ସୁରକ୍ଷିତ ଭାବେ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ମୋଟ ୫,୨୮୮ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ଆଜି ୩,୬୦୦ଟି ଟିକା ଆସିଥିବାବେଳେ ୩,୪୦୦ ଜଣଙ୍କୁ ପ୍ରଦାନ କରାଯିବ। କୌଣସି କାରଣରୁ ନଷ୍ଟ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଅଧିକ ୨୦୦ଟି ଟିକା ଅଣାଯାଇଛି। ଜିଲ୍ଲାର ମୋଟ ୩ଟି ସ୍ଥାନ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ, ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ପୂର୍ବରୁ ଯେଉଁ ସ୍ଥାନରେ ଡ୍ରାଏ ରନ ହୋଇଥିଲା ସେଠାରେ ଟିକା ପ୍ରଦାନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ବଳକା ଟିକା ଆସିବା ପରେ ଦିଆଯିବ। ଆବଶ୍ୟକସ୍ଥଳେ ଯେଉଁଠି ସୁବିଧା ହେବ ସେଠାରେ ଟିକା ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶଶୀଭୂଷଣ ମହାପାତ୍ର ପ୍ରକାଶ କରିଛନ୍ତି।