ନିଆଁରେ ପୋଡ଼ି ନାବାଳିକା ମୃତ

ଫିରିଙ୍ଗିଆ, ଏନ୍‌ଏନ୍‌ଏସ୍‌: ଫିରିଙ୍ଗିଆ ବ୍ଲକ ସୁମେରୁବନ୍ଧ ପଞ୍ଚାୟତ ମିଙ୍ଗୁନପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁରେ ପୋଡ଼ି ହୋଇ ଜଣେ ୯ ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ମଙ୍ଗଳବାର ସନ୍ଧ୍ୟା ସମୟରେ ମିଙ୍ଗୁନ ପଦର ଗାଁର କୃଷ୍ଣ କହଁରଙ୍କ ୯ ବର୍ଷୀୟା ଝିଅ ଲଷ୍ମୀପ୍ରିୟା କହଁର ଘରେ କେହି ନଥିବା ଚୁଲି ମୁଣ୍ଡରେ ବସି ନିଆଁ ପୋଉଥିଲା । ଠିକ ଏହି ସମୟରେ ଅସାବଧାନତା ହେତୁ ଲକ୍ଷ୍ମୀପ୍ରିୟା ଡ୍ରେସରେ ନିଆଁ ଲାଗିଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ନାବାଳିକା ଜଣକ ଅଚେତ ହୋଇ ପଡ଼ିଯାଇଥିଲେ । ରୋଷେଇ ଘରୁ ଜୋରରେ ଧୂଆଁ ବାହାରୁଥିବା ଦେଖି ନାବାଳିକାର ମା’ ଓ ବାପା ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହଯୋଗରେ ଏକ ଅଟୋ ଯୋଗେ ପ୍ରଥମେ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଫୁଲବାଣୀ ମେଡିକାଲରେ ମୃତ୍ୟୁ ହୋଇଥିଲା । ଖବର ପାଇ ଥାନାଧିକାରୀ ରମେଶ କୁମାର ପ୍ରଧାନ ଫିରିଙ୍ଗିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ଥାନାରେ ୨ଜଣ ଏଏସଆଇ ପ୍ରମୋଦ କୁମାର ପ୍ରଧାନ ଓ ସହଦେବ ପାତ୍ର ଫୁଲବାଣୀ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଯିବା ସହ ଅଧିକ ତଦନ୍ତ ଜାରୀ ରଖିଥିବା ଫିରିଙ୍ଗିଆ ଥାନା ପକ୍ଷରୁ ସୂଚନା ମିଳିଛି ।