ଆକାଶମାର୍ଗରୁ ମନ୍ତ୍ରୀ ଓ ଏସଆରସିଙ୍କ ବନ୍ୟା ଅଞ୍ଚଳ ପରିଦର୍ଶନ

ମାଲକାନଗିରି,ଏନ୍ଏନ୍ଏସ୍: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ମାଲକାନଗିରି ଗସ୍ତ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଏରିଏଲ ସର୍ଭେ କରି ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ମାଲକାନଗିରି ଡିଆରଡିଏ ସଭାଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଲଗାଣ ବର୍ଷାରେ ଜିଲ୍ଲାର ସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏଥିରେ ମୁଖ୍ୟତଃ ୩୨୬ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବିଭିନ୍ନ ପୋଲ ଉଚ୍ଚତା ନଥିବାରୁ ଲଗାଣ ବର୍ଷାରେ ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହେଉଥିବାରୁ ନୂତନ ଉଚ୍ଚତା ବିଶିଷ୍ଟ ପୋଲ ନିର୍ମାଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମୀକ୍ଷା ବୈଠକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମାରାଣ୍ଡି ଗଣମାଧ୍ୟମକୁ ସୂଚନା ଦେଇ ଗତ ୫ ଦିନରେ ମାଲକାନଗିରି ଜିଲ୍ଲାରେ ହାରାହାରି ୪୬୩.୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁଁ ୯୩୩ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୨୧ଟି ବାସଗୃହ ନଷ୍ଟ ହୋଇଛି। ଏହା ବ୍ୟତୀତ ଜିଲ୍ଲାର ୧୯୭୧ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏହି ବର୍ଷାରେ ରାସ୍ତାଘାଟ, ଜମିରେ ବାଲିଚର ମାଡ଼ିଛି, ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଜିଲ୍ଲା ପ୍ରଶାସନକୁ ଆସନ୍ତା ୭ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ସେହି ଅନୁଯାୟୀ ଅର୍ଥ ମଞ୍ଜୁର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି ପ୍ରକାଶ କରିଛନ୍ତି। ଏଥିସହ ଉଚ୍ଚତା କମ ଥିବା ପୋଲଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ନୂତନ ଉଚ୍ଚତା ବିଶିଷ୍ଟ ପୋଲ ନିର୍ମାଣ କରାଯିବ ବୋଲି କହିଛନ୍ତି। ୧୯ ତାରିଖରେ ପୁଣି ଲଘୁଚାପ ପ୍ରଭାବରେ ବର୍ଷା ହେବାକୁ ଥିବାରୁ ଧନଜୀବନକୁ ରକ୍ଷା କରିବା ଉପରେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଆରସି ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼଼ି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡ଼କାମି, ଏସ୍ପି ଋଷିକେଶ ଡି. ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପ ଜିଲ୍ଲାପାଳ ରାମେଶ୍ୱର ନାୟକଙ୍କ ସମତ ବହୁ ଅଧିକାରୀ ଯୋଗ ଦେଇଥିଲେ।