ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କଲେ ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଳା,ଏନ୍ଏନ୍ଏସ୍: ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାଗା ମିସନ ଜରିଆରେ ବଲାଙ୍ଗିର ଜିଲ୍ଲା ସହରାଞ୍ଚଳରେ ରହୁଥିବା ଭୂମିହୀନମାନଙ୍କୁ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରାଯାଇଛି। ତୁଷୁରା ଏନଏସି ପରିଷରରେ ବୁଧବାର ଏହି ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।

ତୁଷୁରା ଏନଏସସିର ୫ଟି ୱାର୍ଡ ପାଇଁ ୩୧୨ ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଥିବା ବେଳେ କୋଭିଡ ନିୟମକୁ ଦୃଷ୍ଟିରେ ରଖି ପ୍ରାୟ ୪୦ ଜଣ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ସେହିପରି ବାକି ହିତାଧିକାରୀଙ୍କ ଘରକୁ ଯାଇ ପ୍ରମାଣ ପତ୍ର ଦିଆଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ ପ୍ରକାଶ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କପସିଲା ଓ ନଅଗାଁରେ ସର୍ବସାଧାରଣ ଶୌଚାଳୟ ଓ ସହରକୁ ଆଲୋକିତ କରିବା ପାଇଁ ନୂତନ ୫ଟି ଏଲଇଡି ଖୁଣ୍ଟିର ଉଦଘାଟନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଉପଜିଲ୍ଲାପାଳ ସୁଧାକର ନାୟକ, ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ତାରାକାନ୍ତ ତ୍ରିପାଠୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।