ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଲେ ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଲା,ଏନ୍‌ଏନ୍‌ଏନ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବୁର୍ଡ଼ା ଗାଁରେ ଆଜି ୭୧ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟବକ୍ତା ଭାବେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ, ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପଣ୍ଡା ଓ ସ୍ଥାନୀୟ ସରପଞ୍ଚ ଇତିଶ୍ରୀ ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିବୃନ୍ଦ ମିଶନ ଶକ୍ତି ଦ୍ୱାରା ବିଭିନ୍ନ ପ୍ରକାରର ସାମଗ୍ରୀ ବିକ୍ରି କରାଯାଉଥିବା ଷ୍ଟଲଗୁଡ଼ିକୁ ପରିଦର୍ଶନ କରିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ବିଡିଓ ଚନ୍ଦ୍ରମଣୀ ନାଗ, ତହସିଲଦାର ମନସିଫିଲ କେରକେଟା ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇଙ୍କୁ ମଞ୍ଚକୁ ନିମନ୍ତ୍ରଣ କରାଯାଇ ନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆଲୋଚନା ମଧ୍ୟ ହେଉଛି । ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଅଣଦେଖା କରାଯାଇଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖା ଦେଇଛି ।