ଗୁଜରାଟ: ମୋରବୀ ପୋଲ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଉକ୍ତ ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଗୃହରାଜ୍ୟ ମନ୍ତ୍ରୀ ହର୍ଷ ସଂଘଭୀ, ମନ୍ତ୍ରୀ ବୃଜେଶ ମରଜା, ମୁଖ୍ୟ ସଚିବ, ସ୍ଥାନୀୟ ଜିଲ୍ଲାପାଳ, ଏସପି, ବିଧାୟକ ଓ ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ସ୍ଥିତିର ସମୀକ୍ଷା କରାଯାଇଥିଲା । ମୋଦୀ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ଏଥିସହିତ ମୋରବୀ ସିଭିଲ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଥିବା ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ କହିଛନ୍ତି ଯେ, ଅଧିକାରୀମାନେ ପ୍ରଭାବିତ ପରିବାରଙ୍କ ସମ୍ପର୍କରେ ରହିବା ଉଚିତ । ଏହି ଦୁଃଖଦ ମୂହୁର୍ତ୍ତରେ ଯେପରି ସେମାନଙ୍କୁ ଯଥାସମ୍ଭବ ସାହଯ୍ୟ ମିଳିବ ତାହା ସୁନିଶ୍ଚିତ କରିବା ନିହାତି ଜରୁରୀ । ଏହି ଦୁର୍ଘଟଣା ସମ୍ବନ୍ଧିତ ସମସ୍ତ ଦିଗକୁ ଜାଣିବା ପାଇଁ ଏକ ବିସ୍ତୃତ ଓ ବ୍ୟାପକ ଯାଞ୍ଚ ହେବା ଉଚିତ ।