ସକାଳୁ ସକାଳୁ ମୃଦୁ ଭୂକମ୍ପରେ ଥରିଲା କୋରାପୁଟ, ତୀବ୍ରତା ୩.୮ ରେକର୍ଡ

କୋରାପୁଟ,ଏନ୍ଏନ୍ଏସ୍: ସକାଳୁ ସକାଳୁ ମୃଦୁ ଭୂକମ୍ପରେ ଥରିଲା କୋରାପୁଟ । ଆଜି ଭୋରୁ କୋରାପୁଟରେ ମୃଦୁ ଭୂକମ୍ପ ସଙ୍ଗଠିତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ସକାଳ ୫ଟା ୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୫ କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୧୮.୮୩ ଏବଂ ଦ୍ରାଘିମା ୮୩.୨୧ ରେକର୍ଡ କରାଯାଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ଦିଆଯାଇନାହିଁ । ଦାମନଯୋଡି, ସୁନାବେଡା, ଲକ୍ଷ୍ମୀପୁର, ନାରାୟଣପାଟଣାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଭୂମିକମ୍ପ ପରେ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ । ତେବେ ଏବେ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।