ବଦଳିବ ମୟୂରଭଞ୍ଜ ପର୍ଯ୍ୟଟନସ୍ଥଳୀର ରୂପରେଖ, ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ରାଇରଙ୍ଗପୁର,ଏନ୍ଏନ୍ଏସ୍: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗୁରୁବାର ଠାରୁ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି । ଗତକାଲି ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେ ମୟୂରଭଞ୍ଜରେ ପହଞ୍ଚି ସର୍ବପ୍ରଥମେ ଉଦଳା ନିର୍ବାଚନ ମଣ୍ଡଳୀସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ପରିଦର୍ଶନ କରିଥିଲେ । ସେଠାରେ ପର୍ଯ୍ୟଟନସ୍ଥଳୀର ସମୀକ୍ଷା କରିବା ପରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଥିବା ଠାକୁରମୁଣ୍ଡା ନିକଟସ୍ଥ ଭୀମକୁଣ୍ଡରେ ପହଞ୍ଚିଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଭୀମକୁଣ୍ଡ ବୁଲିବା ସହିତ ସେଠାରେ ଆରମ୍ଭ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ ।

ସେଠାରୁ ଦିନ ପ୍ରାୟ ୧୨ଟା ସମୟରେ ଖିଚିଂ ଅଭିମୁଖେ ଯାତ୍ରା କରିଥିଲେ ୫-ଟି ସଚିବ । ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଖିଚିଂ ସ୍ଥିତ ମା’ କୀଚକେଶ୍ବରୀ ମନ୍ଦିର ପହଞ୍ଚି ମା’ ଓ ମହାଦେବ ମନ୍ଦିରରେ ବାବା ଚନ୍ଦ୍ରଶେଖରଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢ଼ାରେ ଥିବା ସର୍ବପୁରାତନ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ସେବାୟତମାନଙ୍କ ସହିତ ଅଧିକ ଆଲୋଚନା କରିଥିଲେ । ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିବା ସହିତ ବିଭାଗୀୟ ମନ୍ତ୍ରୀଙ୍କ ସାଙ୍ଗରେ ଆଲୋଚନା କରି ବ୍ୟୟବରାଦ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।