ଚିଲିକାକୁ ଆସିବା ଆରମ୍ଭ କଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ

ଟାଙ୍ଗୀ,ଏନ୍ଏନ୍ଏସ୍: ଗତ ଦୁଇ ଦିନ ହେବ ରାଜ୍ୟରେ ଶୀତ ପଡ଼ିବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବିଦେଶୀ ପକ୍ଷୀମାନେ( ଗଡୱିଲ, ପିଣ୍ଟେଲ, ଫ୍ଲେମିଙ୍ଗୋ, ଗ୍ରେହେରେନ, ପେଲିକାନ, ଗଡୱିଟ, ଗାରଗ୍ରେନ, ୱିଜନ ପ୍ରଭୃତି) ମଧ୍ୟ କିଛି ମାତ୍ରାରେ ଚିଲିକାକୁ ଆସିବା ଆରମ୍ଭ କରିଲେଣି।

ଆଉ କିଛି ଦିନ ପରେ ଚିଲିକାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ବର୍ତ୍ତମାନ ବିଦେଶୀ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଚିନ୍ତାରେ ବନ୍ୟପ୍ରାଣୀ ବିଭାଗ। ବିଭିନ୍ନ ସ୍ଥାନରେ ପକ୍ଷୀ ସୁରକ୍ଷା କ୍ୟାମ୍ପ ଗଠନ କରାଯାଇଛି ଏବଂ ଏହା ସହିତ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ମଧ୍ୟ ପ୍ରତି କ୍ଷେତ୍ରରେ ୨୪ ଘଣ୍ଟା ସଜାଗ ଅଛନ୍ତି। ପକ୍ଷୀଙ୍କ ସୁରକ୍ଷା ବଳୟକୁ ପ୍ରବେଶ ନ କରିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ବାରଣ କରାଯାଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯଦି ପାଗ ଅନୁକୂଳ ରୁହେ ତେବେ ଚିଲିକାରେ ପକ୍ଷୀ ସଂଖ୍ୟା ବଢିବ ବୋଲି ପକ୍ଷୀ ବିଶାରଦମାନେ ଆକଳନ କରିଛନ୍ତି।