ନୂଆଦିଲ୍ଲୀ,ଏଜେନ୍ସି: ଦୀର୍ଘ ୧୧ ଦିନ ପରେ ସମୁଦ୍ରରୁ ମିଳିଲା ନିଖୋଜ ପାଇଲଟର ମୃତ ଦେହ। ଆରବ ମହାସାଗରରେ ନୌସେନାର ମିଗ୍-୨୯କେ ବିମାନ ଦୁର୍ଘଟଣା ଘଟି ଜଣେ ପାଇଲଟ ନିଖୋଜ ଥିଲେ। ତେବେ ଆଜି ଗୋଆ ବେଳାଭୂମିର ୩୦ ମାଇଲ ଦୂର ପାଣି ଭିତରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତେବେ ମୃତ ପାଇଲଟ ଜଣଙ୍କ ହେଉଛନ୍ତି କମାଣ୍ଡର ନିଶାନ୍ତ ସିଂହ।
ସୂଚନା ଅନୁସାରେ ନଭେମ୍ବର ୨୬ ତାରିଖରେ ଆରବ ମହାସାଗରରେ ନୌସେନାର ପ୍ରଶିକ୍ଷଣ ବିମାନ ମିଗ୍-୨୯କେ’ର ଦୁର୍ଘଟଣା ଘଟିଥିଲା। ସେହି ସମୟରେ ନିଶାନ୍ତଙ୍କ ସହଯୋଗୀ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଯାଇଥିବା ବେଳେ ସେ ଫସି ଯାଇଥିଲେ। ସହଯୋଗୀ ପାଇଲଟଙ୍କୁ ନୌସେନା ଉଦ୍ଧାର କରିଥିବା ବେଳେ ନିଶାନ୍ତଙ୍କ କୌଣସି ସନ୍ଧାନ ମିଳିନଥିଲା। ଦୁର୍ଘଟଣାର କିଛିଦିନ ପରେ ବିମାନର କିଛି ଭଙ୍ଗା ଅଂଶ ମଧ୍ୟ ମିଳିଥିଲା। ତେବେ ଆଜି ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ବ୍ୟବଚ୍ଛେଦ ପରେ ତାଙ୍କ ମର ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।