ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଡଷ୍ଟବିନରୁ ଗୋଟାଇ ଖାଉଥିବା ଏକ ଭିଡ଼ିଓ ଓ ଫୋଟୋ କିଛିଦିନ ତଳେ ଜିଲ୍ଲାରେ ଭାଇରାଲ ହୋଇଥିଲା। ପରେ ୟଙ୍ଗ ଷ୍ଟାର୍ସ ଚେରିଟେବୁଲ ଟ୍ରଷ୍ଟର ସଭାପତି ଇଂ ଅରବିନ୍ଦ ବାରିକ ଓ ପିପୁଲସ୍ ଫୋରମ ମିଶନ ଆଶାଲୋକର ମୁଖ୍ୟ ସଞ୍ଜୟ ଜେଠୀଙ୍କ ପ୍ରୟାସରେ ଉକ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବଡ଼ମାଳସ୍ଥିତ ମିଶନ ଆଶାଲୋକରେ ନେଇ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ଉତ୍ତମ ପରିବେଶରେ ରଖାଯିବା ସହ ମାନସିକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯିବ। ଏହି ମାନସିକ ଭିନ୍ନକ୍ଷମଙ୍କ ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲମୋହନ ରାଉତରାୟ, ଆସିଷ୍ଟାଣ୍ଡ ପ୍ରୋଗାମ ମେନେଜର ଶୁଭକାନ୍ତ ପଣ୍ଡା, ହସ୍ପିଟାଲ ମେନେଜର କୁମାର ଅଭିଷେକ, ହସ୍ପିଟାଲ କର୍ମଚାରୀ ସୁବାଷ ସେଠ ଓ ବାପି ଦଳେଇ ପ୍ରମୁଖ ସହଯୋଗ କରିଥିଲେ।
ପ୍ରକାଶଯୋଗ୍ୟ, ୟଙ୍ଗଷ୍ଟାର୍ସ ଚେରିଟେବୁଲ ଟ୍ରଷ୍ଟ ମାନସିକ ଭିନ୍ନକ୍ଷମ ତଥା ବୃଦ୍ଧବୃଦ୍ଧାଙ୍କୁ ଉଦ୍ଧାର କରି ଥଇଥାନ ତଥା ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟ କରିଥାଏ। ଫଳରେ ସମାଜର ମୁଖ୍ୟସ୍ରୋତରୁ ଦୂରେଇ ଯାଉଥିବା ବହୁ ଲୋକ ପୁଣିଥରେ ମୁଖ୍ୟସ୍ରୋତକୁ ଫେରି ହସଖୁସିରେ ଜୀବନ ଅତିବାହିତ କରୁଛନ୍ତି।