୨୩ରୁ ପୁରୁଷ ଏସିଆ କପ୍ ହକି; ଭାରତୀୟ ଦଳର ଜାକର୍ତ୍ତା ଗସ୍ତ

ବେଙ୍ଗାଲୁରୁ,ଏଜେନ୍ସି: ଆସନ୍ତା ୨୩ ତାରିଖଠାରୁ ଇଣ୍ଡୋନେସିଆରେ ଆରମ୍ଭ ହେଉଥିବା ହିରୋ ପୁରୁଷ ଏସିଆ କପ୍ ହକିରେ ଭାଗ ନେବା ସକାଶେ ଶୁକ୍ରବାର ଏଠାରୁ ଭାରତୀୟ ଦଳ ଜାକର୍ତ୍ତା ଅଭିମୁଖେ ଗସ୍ତ କରିଛି । ଦଳ ଏସିଆ କପ୍‌ରେ ପୁଲ୍‌-ଏ’ରେ ଜାପାନ, ପାକିସ୍ତାନ ଓ ଆୟୋଜକ ଇଣ୍ଡୋନେସିଆ ସହ ସ୍ଥାନ ପାଇଛି । ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଗ୍ରୁପ୍‌-ବି’ରେ ମାଲେସିଆ, କୋରିଆ, ଓମାନ୍ ଓ ବାଂଲାଦେଶ ପରି ଦଳ ରହିଛନ୍ତି । ପ୍ରତିଯୋଗିତାରେ ଭାରତ ତା’ର ଅଭିଯାନ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରୁ ଆରମ୍ଭ କରିବ ।

ଟୁର୍ଣ୍ଣାମେଣ୍ଟ୍ ସମ୍ପର୍କରେ ଦଳର ଅଧିନାୟକ ତଥା ଭେଟେରାନ୍ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା କହିଛନ୍ତି ଯେ ଏସିଆ କପ୍ ଏକ ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟ୍ ହୋଇଥିବାରୁ ଏଥିରେ ଟାଇଟଲ୍ ବଜାୟ ରଖିବା ସକାଶେ ଦଳର ଖେଳାଳିମାନେ ବେଶ୍ ଉତ୍କଣ୍ଠିତ ଅଛନ୍ତି । ବିଶେଷକରି ଏହି ଟୁର୍ଣ୍ଣାମେଣ୍ଟ୍‌ରେ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଥିବା ଯୁବ ଖେଳାଳିମାନେ ଏପରି ଅଭିଜ୍ଞତା ହାସଲ କରିବା ସକାଶେ ବ୍ୟଗ୍ରତା ସହ ଅପେକ୍ଷା କରିଛନ୍ତି ବୋଲି ବୀରେନ୍ଦ୍ର କହିଛନ୍ତି । ସେହିପରି ଟୁର୍ଣ୍ଣାମେଣ୍ଟ୍ ପାଇଁ ପ୍ରସ୍ତୁତି ସମ୍ପର୍କରେ ବୀରେନ୍ଦ୍ର କହିଛନ୍ତି ଯେ ଏଠାକାର ସାଇ ସେଣ୍ଟର୍‌ଠାରେ ଅନୁଷ୍ଠିତ କ୍ୟାମ୍ପ୍ ବେଶ୍ ଫଳପ୍ରଦ ଥିଲା ।

ଏହି କ୍ୟାମ୍ପ୍‌ରେ ଯୋଗ ଦେଇଥିବା ଖେଳାଳିମାନେ ପରସ୍ପରର ଶକ୍ତିଶାଳୀ ଦିଗ ସମ୍ପର୍କରେ ଅବଗତ ହେବା ସହ କୋର୍ଟରେ ପରସ୍ପର ସହ ବୁଝାମଣାକୁ ମଧ୍ୟ ସଶକ୍ତ କରିପାରିଛନ୍ତି । କୋଚ୍ ସର୍ଦ୍ଦାର ସିଂହ ମଧ୍ୟ ଖେଳାଳିଙ୍କ ଫିଟ୍‌ନେସ୍ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏସିଆ କପ୍‌ର ଶେଷ ସଂସ୍କରଣଟି ବାଂଲାଦେଶରେ ଗତ ୨୦୧୭ରେ ଖେଳାଯାଇଥିବା ବେଳେ ସେଥିରେ ଭାରତ ବାଂଲାଦେଶକୁ ପରାସ୍ତ କରି ଟାଇଟଲ୍ ଜିତିଥିଲା ।

ଭାରତର କାର୍ଯ୍ୟସୂଚୀ
ତାରିଖ ମ୍ୟାଚ୍‌ ଭାରତୀୟ ସମୟ
୨୩/୫ ବନାମ ପାକିସ୍ତାନ ଅପରାହ୍ଣ ୫ଟା
୨୪/୫ ବନାମ ଜାପାନ ଅପରାହ୍ଣ ୫ଟା
୨୬/୫ ବନାମ ଇଣ୍ଡୋନେସିଆ ଅପରାହ୍ଣ ୫ଟା