ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସଚେତନତା ଶିବିର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ଟାଉନ ହଲରେ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକଲ୍ୟରେ ଏକ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଜିଲ୍ଲା ଓ ଦୌରାଜଜ ଗୌତମ ଶର୍ମା, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗ, ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ପବ୍ଲିକ ପ୍ରସିକ୍ୟୁଟର ବୃନ୍ଦାବନ ନାୟକ ଓ ଜିଲ୍ଲା ଓକିଲ ସଂଘ ସମ୍ପାଦକ ତରଣୀକାନ୍ତ ଦାଶ ପ୍ରମୁଖ ଆୟୋଜିତ ସଭାରେ ମଞ୍ଚାସିନ ରହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ଏଥିସହ ମାଗଣା ଆଇନ ସହାୟତା ସହ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ସମାଜ କଲ୍ୟାଣ ବିଭାଗ, ଜୀବିକା ମିଶନ, ଶିକ୍ଷା ବିଭାଗ, ରାଜସ୍ୱ, ଜରୁରୀକାଳୀନ ବିଭାଗ ଓ ୱାନଷ୍ଟପ ସେଣ୍ଟର ସଖି ପକ୍ଷରୁ ଖୋଲା ଯାଇଥିବା ଷ୍ଟଲଗୁଡ଼ିକୁ ଅତିଥିଙ୍କ ଦ୍ୱାରା ଫିତା କାଟି ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମେତ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ଓ ସ୍ୱେଛାସେବୀ ସାମିଲ ହୋଇଥିଲେ ।