ଧାମନଗରରେ ବିଜେପିର ବାଜିମାତ

ଭଦ୍ରକ: ବାପାଙ୍କର ବିଜୟ ଧାରାକୁ ବଜାୟ ରଖି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଉପନିର୍ବାଚନରେ ବାଜି ମାରିଛନ୍ତି । ସୂରଜ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ୯,୮୮୧ ଭୋଟରେ ହରାଇଛନ୍ତି । ଏଥିସହିତ ବିଜେଡିର ଉପନିର୍ବାଚନ ବିଜୟ ଧାରାରେ ରୋକ ଲଗାଇଛନ୍ତି । ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮,୧୫୩ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୩,୫୬୧ ଭୋଟ ପାଇଛନ୍ତି ।

ଖାସ୍ କଥାଟି ହେଲା, ସୂର୍ଯ୍ୟବଂଶୀ ସୂରଜ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି । ଭଦ୍ରକ ସରସ୍ୱତୀ ଶିଶୁ ମନ୍ଦିରରୁ ମାଟ୍ରିକ ପାସ କରିଥିବା ସୂରଜ ଭୁବେଶ୍ୱରର ଏକ ଘରୋଇ କଲେଜରେ ବିଟେକ ପଢ଼ିଥିଲେ । ପରେ ଭଦ୍ରକ ଲ’ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଧାମରାର ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ମଧ୍ୟ ଥିଲେ । କିନ୍ତୁ ବାପା ବିଷ୍ଣୁ ସେଠୀଙ୍କ ସହ କାମ କରିବାକୁ ଧାମନଗର ଫେରିଥିଲେ ।