‘ସ୍ୱାସ୍ଥ୍ୟ ଉତ୍ତମ ରହିଲେ ଆସେ ସଫଳତାର କ୍ଷମତା’

ମାଗଣା ବିଶାଳ ସ୍ୱାସ୍ଥ୍ୟ ଶିବିର

୨ହଜାରରୁ ଅଧିକ ରୋଗୀଙ୍କ ଚିକିତ୍ସା

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ସ୍ଥିତ ଶୋଭନ ମେମୋରିଅଲ ପଂଚାୟତ ମହାବିଦ୍ୟାଳୟରେ ରବିବାର ଚିତତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ଆନୁକୁଲ୍ୟରେ ମାଗଣା ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହି ଶିବିବରକୁ ଉଦଘାଟନ କରି କହିଛନ୍ତି ଓଡିଶାର ପ୍ରତ୍ୟକ ବ୍ୟକ୍ତିଙ୍କୁ ସୁସ୍ଥ ଓ ସମୃଦ୍ଧ ରଖିବା ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ। ଏଥିପାଇଁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସରକାରୀ ଚିକିତ୍ସାଳୟରେ ମାଗଣା ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା, ମାଗଣା ଔଷଧ ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ବଂଟନ କରାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟ ହିଁ ମଣିଷର ପ୍ରକୃତ ସମ୍ପଦ। ସ୍ୱାସ୍ଥ୍ୟ ଭଲ ରହିଲେ ମଣିଷ ପ୍ରତ୍ୟେକ ସଫଳତା ହାସଲ କରିବାର କ୍ଷମତା ରଖିଛି। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇ ଆବଶ୍ୟକସ୍ଥଳେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ଉଚିତ। ଏବସ୍ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଚିତ୍ତଜ୍ଞାନୀ ଚେରିଟେବୁଲ ଟ୍ରଷ୍ଟ ଦ୍ୱାରା ଅନୁଷ୍ଠିତ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ଦାସ କହିଛନ୍ତି। ସେହିପରି ଜିଲ୍ଲାପଳ ସରୋଜ କୁମାର ସାମଲ କହିଛନ୍ତି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଏକ ମହାନ କାମ ଅଟେ। ତେଣୁ ଚିତତଜ୍ଞାନୀ ଟ୍ରଷ୍ଟ ପକ୍ଷରୁ କରଯାଉଥିବା ଏହି ମାଗଣା ସ୍ୱାସ୍ଥ୍ୟ ଶିବିବରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଛି।

ଏହି ଶିବିରରେ କଟକ, ଭୂବନେଶ୍ୱର, ବୁର୍ଲା, ସମ୍ବଲପୁର ର ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତିରେ ପ୍ରାୟ ୨ହଜାରୁ ଉଦ୍ଧ୍ୱର୍ ରୋଗୀଙ୍କ ଚିକିତ୍ସା କରାଯାଇଛି। ସେମନଙ୍କର ଏଣ୍ଡୋସ୍କୋପି, ଇସିଜି, ରକ୍ତ ଆଦି ପରିକ୍ଷା କରାଯାଇ ମାଗଣାରେ ଓଷଧ, ଚଷମା ଆଦି ବଂଟନ କରାଯାଇଛି। ଏହାସହ ଯେଉଁ ରୋଗୀମାନଙ୍କ ସ୍ୱସ୍ଥ୍ୟବସ୍ଥା ଅତ୍ୟଧିକ ସଙ୍କଟାପନ୍ନ ରହିଛି ସେମାନଙ୍କୁ ବୁର୍ଲ୍ଲା ମେଡିକାଲ ତଥା କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇ ମାଗଣାରେ ଚିକିତ୍ସା କରାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଡାକ୍ତର ଦତ୍ତେଶ୍ୱର ହୋତା କହିଛନ୍ତି।

ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ଅଧ୍ୟକ୍ଷତାରେ ହୃଦ ରୋଗ ବିଶେଷଜ୍ଞ ଡ. ବିଶ୍ୱଜିତ ଦାସ, ଇଏନଟି ବିଶେଷଜ୍ଞ ସୁବ୍ରତ ବେହେରା, ଚକ୍ଷୁ ବିଶେଷଜ୍ଞ ସିଦ୍ଧାର୍ଥ ଦାସ, ମେଡିସିନ ସ୍ପେସାଲିଷ୍ଟ ସିଦ୍ଧାନ୍ତ କର, ନ୍ୟୁରୋ ମେଡିସିନ ଡା. ଲୁଲୁପ ସାହୁ, ଗାଇନୋକୋଲୋଜିଷ୍ଟ ଡ. ଦେବାଶିଷ ବେହେରା ପ୍ରମୁଖଙ୍କ ସହ ଗେଷ୍ଟ୍ରୋ, ୟୁରୋଲୋଜିଷ୍ଟ, ନେଫ୍ରୋ, ଅର୍ଥୋ, ପେଡିଆ, ଅର୍ଥୋପେଡିକ୍ସ, ଡେଂଟାଲ ଆଦି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ଲୋକଙ୍କୁ ଚିକିତ୍ସା କରିଥିଲେ। ଏହି ବିଶାଳ ଶିବିବରରେ ଝାରସୁଗୁଡା ସହ ପଡୋଶୀ ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାର ରୋଗୀମାନେ ନିଜର ଚିକିତ୍ସା କରାଇଛନ୍ତି। ଲୋକଙ୍କ ଯାତାୟତ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪ ଟି ଯାନ ଜିଲ୍ଲାର ବିଭିନ୍ନ ଅଂଚଳକୁ ଯୋଗାଇ ଦିଆଯାଇଥିଲା।