ବ୍ରହ୍ମପୁର,ଏନ୍ଏନ୍ଏସ୍: ବିଦ୍ୟୁତ ତାର ସ୍ପର୍ଶ ଯୋଗୁଁ ହୋଇଥିବା ବସ୍ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୯ ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
ବ୍ରହ୍ମପୁରରେ ବିଦ୍ୟୁତ ଜନିତ ଦୁର୍ଘଟଣାରେ ମୃତାହତ ଖବର ଜାଣି ମୁଁ ମର୍ମାହତ। ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
— Naveen Patnaik (@Naveen_Odisha) February 9, 2020
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଦୁଃଖ ପ୍ରକାଶ କରିବା ସହ ମୃତ ପରିବାରକୁ ସମବେଦନା ଜଣାଇଛନ୍ତି। ଅପରପକ୍ଷେ ପରିବହନ ବିଭାଗ ଓ ସାଉଥକୋ ବିଦ୍ୟୁତ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି।
ବ୍ରହ୍ମପୁରରେ ଘଟିଥିବା ଅଭାବନୀୟ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ ।
ପ୍ରଭୂ ଜଗନ୍ନାଥଙ୍କ ପାଖେ ଅମର ଆତ୍ମାଙ୍କ ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି ଏବଂ ଆହତ ମାନଙ୍କ ଆଶୁ ଆରୋଗ୍ଯ ପାଇଁ ପ୍ରଭୂ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କରୁଛି ।— Pratap Sarangi (@pcsarangi) February 9, 2020
ତେବେ ଏହି ଦୁର୍ଘଟଣାଟି ଗୋଳନ୍ଥରା ଥାନା ମେଳୁପନ୍ତର ଅଞ୍ଚଳରେ ଘଟିଛି । ଗୋଟିଏ ବସ୍ ଗାଁ ଭିତରେ ଯାଉଥିବା ବେଳେ ହଠାତ୍ ୧୧ କେଭି ତାରଟି ତଳକୁ ଓହଳି ରହିଥିବାରୁ ବସ୍ ଛାତରେ ଛନ୍ଦି ହୋଇଯାଇଥିଲା । ଫଳରେ ସମ୍ପୂର୍ଣ୍ଣ ବସ୍ରେ ହାଇ ଭୋଲ୍ଟେଜ୍ ବିଦ୍ୟୁତ ସଂଯୋଗ ହୋଇଥିଲା । ଯାହାଫଳରେ ୯ ଲୋକଙ୍କ ମୃତ୍ୟୁ ହୋଇଛି ।
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରାର ମେଣ୍ଡରାଜପୁର ଠାରେ 11 କେଭି ବିଦ୍ୟୁତ ଲାଇନ୍ ସଂସ୍ପର୍ଶରେ ଆସି ବସରେ ନିଆଁ ଲାଗିବା କାରଣରୁ ଅନେକ ଯାତ୍ରୀ ମୃତାହତ ହେବା ଖବର ଶୁଣି ଦୁଃଖିତ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆହତଙ୍କୁ ଉତ୍ତମମାନର ଚିକିତ୍ସା ଯୋଗାଇଦେବେ ବୋଲି ଆଶା ।
— Dharmendra Pradhan (@dpradhanbjp) February 9, 2020
ବିଦ୍ୟୁତ ଆଘାତରେ କିଛି ଲୋକ ଜଳିଯାଇଥିବା ମଧ୍ୟ ଜଣାପଡ଼ିଥିଲା। ଅନ୍ୟପଟେ ୪୦ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗୋଟିଏ ବସ୍ରେ ବର ଘର ପକ୍ଷରୁ ନିର୍ବନ୍ଧ ପାଇଁ ୫୦ ରୁ ୬୦ ଜଣ ଯାତ୍ରୀ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।