ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଖନପୁର ବ୍ଲକ ଓ ବେଲପାହାଡ଼ ପୌରପରିଷଦ ଅଞ୍ଚଳରେ ଖରାଦିନେ ପାଣି ସମସ୍ୟା ଦୂର କରିବା ପାଇଁ ଆଜି ଲଖନପୁର ବ୍ଲକ କନଫରେନ୍ସ ହଲରେ ପ୍ରାଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଲଖନପୁର ତଥା ବେଲପାହାଡ଼ ଅଞ୍ଚଳର ବିଭିନ୍ନ ଗ୍ରାମରେ ଖରା ଦିନରେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦିଏ। ଲୋକେ ପିଇବା ପାଣି ବୁନ୍ଦାଏ ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତେବେ ଚଳିତ ବର୍ଷ ଗ୍ରାମଗୁଡ଼ିକରେ ଜଳାଭାବ ପୂର୍ବରୁ କିପରି ଲୋକଙ୍କ ପାଖକୁ ପାଣିି ପଠାଯିବ ସେନେଇ ଆଜି ବୈଠକରେ ଆଲୋଚନା କରାଯାଇଛି। ଖରାଦିନେ ଜଳାଭାବ ଦେଖା ଦେଉଥିବା ବେଲପାହାଡ଼ ଓ ଲଖନପୁରର ସମସ୍ତ ଅଞ୍ଚଳରେ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍ (ଏମ ସି ଏଲ), ଓଡ଼ିଶା ପାୱର ଜେନେରେସନ କର୍ପୋରେସନ (ଓପିଜିସି) ଓ ଟିଆରଏଲ କ୍ରୋସାକି କମ୍ପାନୀ ଟେଙ୍କର ଯୋଗେ ପାଣି ଯୋଗାଇବେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଶିବ ଟପ୍ପୋ, ଲଖନପୁର ବିଡିଓ ସଞ୍ଜୀବ ପଟେଲ, ବେଲପାହାଡ଼ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ, ଲଖନପୁର ଖଣିକ୍ଷେତ୍ର ମହାପ୍ରବନ୍ଧକ ଅନିଲ କୁମାର ସିଂ, ଟିଆରଏଲର ବରିଷ୍ଠ ଅଧିକାରୀ ଏସଏ ହବିବ, ଶଶାଙ୍କ ଦିକ୍ଷିତ, ବରଗଡ଼ ସାସଂଦଙ୍କ ଜିଲ୍ଲା ପ୍ରତିନିଧବ ରଘୁ ନନ୍ଦନ ପଣ୍ଡା, ଲଖନପୁର ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ।