ମାଓ ସଂଗଠନ ପକ୍ଷରୁ ପୁଣି ପତ୍ର ଜାରି

ମାଲକାନଗିରି,ଏନ୍ଏନ୍ଏସ୍: ପୁଲିସ ଏବଂ ସରକାରଙ୍କୁ ଟାର୍ଗେଟ କରି ପୁଣି ମାଓ ସଂଗଠନ ପକ୍ଷରୁ ଏକ ପତ୍ର ଜାରି କରାଯାଇଛି। ମାଲକାନଗିରି କୋରାପୁଟ ବିଶାଖା ଡିଭିଜୋନାଲ କମିଟି ପକ୍ଷରୁ ଏହି ଚିଠି ଜାରି କରାଯାଇଛି। ଏଥିରେ ଆଦିବାସୀ ଅଞ୍ଚଳରେ ପୁଲିସ ପକ୍ଷରୁ ଚାଲୁଥିବା ଦମନ ଲୀଳାକୁ ବନ୍ଦ କରିବା, ମାଡ଼କାପଦର ଏନକାଉଣ୍ଟରକୁ ତୀବ୍ର ବିରୋଧ କରିବା ସହ ଏନକାଣ୍ଟରରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସହ ମାଓବାଦୀଙ୍କ କିଛି ସମ୍ପର୍କ ନଥିବା ଉଲ୍ଲେଖ କରାଯାଇଛି। ଗତ କିଛିଦିନ ପୂର୍ବରୁ ମାଲକାନଗିରି ଜିଲ୍ଲା ଯନ୍ତ୍ରୀ ନିକଟସ୍ଥ ଧାକଡ଼ପଦର ଅଞ୍ଚଳରୁ ମାଛ ଧରିବାକୁ ଯାଇଥିବା ଯୁବକକୁ ପୁଲିସ ଉଠାଇ ନେଇ ଏକ ସପ୍ତାହ ପରେ ଗିରଫକୁ ଲାଲ ବାହିନୀ ସମ୍ପୂର୍ଣ୍ଣ ବିରୋଧ କରିଛି। ଏହାସହ ସ୍ୱାଭିମାନ ଅଞ୍ଚଳରେ ଗତ କିଛିମାସ ମଧ୍ୟରେ ପୁଲିସ ଓ ବିଏସଏଫ ପକ୍ଷରୁ ମାଓବାଦୀଙ୍କ ଦ୍ୱାରା ମାଟିତଳେ ପୋତା ଯାଇଥିବା ମାଓ ସାମଗ୍ରୀ ଉଦ୍ଧାର କରାଯିବା ସମ୍ପର୍କରେ ଯେଉଁ ତଥ୍ୟ ଦିଆଯାଇଛି, ସେଗୁଡ଼ିକ ମାଓ ସଂଗଠନର ନୁହେଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ମାଓବାଦୀଙ୍କ ବିରୋଧରେ ପୁଲିସ ମିଥ୍ୟା ପ୍ରଚାର କରୁଥିବା ଉଲ୍ଲେଖ ରହିଛି । ଏଥିରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ମଧ୍ୟ ମାଓ ସଂଗଠନ ବିରୋଧ କରିଛି।