ହରିଶଙ୍କରରେ ନୃସିଂହ ମେଳା ପାଇଁ ବୈଠକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ଆସନ୍ତା ୧୪ରୁ ୧୬ ପର୍ଯ୍ୟନ୍ତ ହେବାକୁ ଥିବା ହରିଶଙ୍କର ମହୋତ୍ସବ ପାଇଁ ପାଟଣାଗଡ଼ ଦେବୋତ୍ତର ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟା ନନ୍ଦ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ବୈଠକରେ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ, ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ ଓ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ସମେତ ଅଞ୍ଚଳର ଜନପ୍ରତିନିଧି ଯୋଗ ଦେଇଥିଲେ । ଚଳିତ ବର୍ଷ ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଘନ ଘନ ବୈଠକ କରାଯିବା ସହ ଜିଲ୍ଲା ତଥା ଜିଲ୍ଲା ବାହାରୁ ସାଂସ୍କୃତିକ ଦଳ ସହ ଯୋଗାଯୋଗ କରାଯାଇଛି ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଖାସ୍ କରି ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଭଜନ ସମାରୋହ ପାରମ୍ପାରିକ ନୃତ୍ୟ ଡାଲଖାଇ ରସରକେଳି ଦୁଲଦୁଳି ଘୁମୁରା ଦଳକୁ ଅଣାଯାଇ ମେଳାକୁ ଆକର୍ଷଣୀୟ କରାଯିବ । ସେଥିପାଇଁ ବିଭିନ୍ନ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଅଭ୍ୟର୍ଥନା, ସାଂସ୍କୃତିକ, ପ୍ରଚାର ପ୍ରସାର, ଶୃଙ୍ଖଳା, ଖାଦ୍ୟ-ଜଳ ଯୋଗାଣ ଓ ହୋମଜଜ୍ଞ କମିଟି ଗଠନ କରାଯାଇଛି । ଏହି ବୈଠକରେ ଦେବୋତ୍ତର କମିଟିର ସଦସ୍ୟଙ୍କ ସହ ଖପ୍ରାଖୋଲ ମେଲାର ଶବ କମିଟିର ସଦସ୍ୟ ଯୋଗ ଦେଇଥିଲେ । ପରବର୍ତ୍ତୀ କମିଟି ପାଇଁ ଆସନ୍ତାକାଲି ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସରେ ପୁଣି ଏକ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ସହକାରୀ ଜିଲ୍ଲାପାଳ କହିଛନ୍ତି ।