ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ନୂଆପଡ଼ା ସଦର ଥାନା ଅନ୍ତର୍ଗତ ସିଲଧା ଗାଁରେ ଆଜି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସାନ ଭାଇକୁ ଜଳଖିଆ ଦେଇ ଘରକୁ ଫେରୁଥିବା ବେଳେ ଟ୍ରକ୍ ଧକ୍କାରେ ବଡ଼ ଭାଇର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସିଲଧା ଗାଁର ତୋଷରାମ ପାଣ୍ଡେ(୨୯) ।

ମିଳିଥିବା ରିପୋର୍ଟ ମୁତାବକ, କୁଲିଆବନ୍ଧା ପ୍ୟାକ୍ସରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ସିଲଧା ଗ୍ରାମର ତୋଷରାମ ପାଣ୍ଡେ କାମ କରନ୍ତି । ଆଉ ତାଙ୍କ ସାନ ଭାଇ ପରମାନନ୍ଦ ପାଣ୍ଡେ ସିଲଧା ଏଫସିଆଇ ଗୋଦାମରେ କାମ କରନ୍ତି । ଆଜି ସକାଳେ ତୋଷରାମ ସାନ ଭାଇ ପରମାନନ୍ଦଙ୍କୁ ଜଳଖିଆ ଦେଇ ବାଇକରେ ଫେରୁଥିବାବେଳେ ଏଫସିଆଇ ଗୋଦାମ ନିକଟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତୋଷରାମଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଟ୍ରକକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନୂଆପଡ଼ା ଥାନା ଏସଆଇ ଚରଣ ସିଂ ମାଝୀ ସୂଚନା ଦେଇଛନ୍ତି ।